Categories: ଜାତୀୟ

ଦିଲ୍ଲୀ ରଣକ୍ଷେତ୍ର: ଟେକାମାଡ଼ କଲେ ଛାତ୍ର, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୧୬ା୧୨ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦେଳାନ ରବିବାର ମଧ୍ୟରାତ୍ରିରେ ଉଗ୍ରରୂପ ଧାରଣ କରିଛି। ଜେଏମ୍‌ଆଇୟୁରୁ ଆରମ୍ଭ ହୋଇଥିବା ବିକ୍ଷୋଭଜନିତ ହିଂସା ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ରାଜଧାନୀ ରଣକ୍ଷେତ୍ରରେ ପରିଣତ ହୋଇଛି। ପୋଲିସ-ଛାତ୍ର ଖଣ୍ଡଯୁଦ୍ଧରେ ଶତାଧିକ ଆହତ ହୋଇଛନ୍ତି।
ପୋଲିସର ଫ୍ଲାଗ୍‌ମାର୍ଚ୍ଚ ପରେ ବିକ୍ଷୋଭକାରୀମାନେ ୪ରୁ ଊର୍ଦ୍ଧ୍ୱ ବସ୍‌ରେ ନିଆଁ ଲଗାଇଦେଇଥିଲେ। ସେମାନଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ପଶିଥିଲା। ଫଳରେ ସେଠାରେ ପୋଲିସ-ଛାତ୍ର ମୁହଁାମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସକୁ ଟେକାମାଡ଼ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଜେଏମ୍‌ଆଇୟୁ ଛାତ୍ରୀଛାତ୍ରଙ୍କ ସପକ୍ଷରେ ଜେଏନ୍‌ୟୁ ଛାତ୍ର ସଂଘ ଓ ଅନ୍ୟ କେତେକ ଛାତ୍ର ସଙ୍ଗଠନ ବାହାରି ପୋଲିସ ମୁଖ୍ୟାଳୟ ଘେରାଉ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିମାଡ଼ ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏଥିରେ ଶତାଧିକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ୩୫ ଜଣଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ପୋଲିସ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ର ଓ କର୍ମଚାରୀଙ୍କୁ ମାଡ଼ ମାରିବା ସହ କ୍ୟାମ୍ପସ୍‌ରୁ ଘଉଡ଼ାଇ ଦେଇଥିବା ଜେଏମ୍‌ଆଇୟୁ ଚିଫ୍‌ ପ୍ରୋକ୍ଟର ଓ୍ବାସିମ୍‌ ଅହମଦ୍‌ ଖାନ୍‌ ଅଭିଯୋଗ ଆଣିଛନ୍ତି। ହିଂସାକୁ ଦୃଷ୍ଟିରେ ରଖି ଜାମିଆ ମେଟ୍ରୋ ଷ୍ଟେଶନଠୁ ନେଇ ବସନ୍ତ ବିହାର, ମୁନିକା, ଆର୍‌.କେ.ପୁରମ୍‌, ଶୁକଦେବ ବିହାର ମେଟ୍ରୋ ଓ ଆଶ୍ରମ ଗେଟ୍‌ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଦୋକାନବଜାର ବନ୍ଦ ରହିଛି। ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଇତିମଧ୍ୟରେ ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟିରେ ମଧ୍ୟ ଅନୁରୂପ ହିଂସା ଦେଖିବାକୁ ମିଳିଛି। ଏଏମ୍‌ୟୁ ହଷ୍ଟେଲକୁ ଖାଲି କରାଯିବା ସହ ଜାନୁୟାରୀ ୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି।

Share