Categories: ଜାତୀୟ

ଦିଲ୍ଲୀ ଭଳି ଉତ୍ତର ପ୍ରଦେଶରେ ବି ଲାଗୁ ହୋଇପାରେ ଅଡ୍‌ ଇଭିନ୍‌ ନମ୍ବର

ଲକ୍ଷ୍ନୌ,୪।୧୧: ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଭଳି ଉତ୍ତରପ୍ରଦେଶରେ ମଧ୍ୟ ଅଡ୍‌ ଇଭିନ୍‌ ନମ୍ବର ପ୍ରଚଳନ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯୋଗୀ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟରେ ଅଡ୍‌ ଇଭିନ୍‌ ଫର୍ମୁଲାକୁ ଲାଗୁ କରିବାକୁ ପରିବହନ ଓ ପୋଲିସ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂହ କହିଛନ୍ତି, ପ୍ରଦୂଷଣ ରୋକିବାକୁ ଉଦ୍ୟମ ଜାରି ରହିଛି। ଏହାକୁ କିଛି ମାତ୍ରାରେ କମ୍‌ କରିବା ପାଇଁ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ଅନ୍ୟ ଉପାୟ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି। ତେବେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅଡ୍‌ ଇଭିନ୍‌ ଫର୍ମୁଲାକୁ ନେଇ ଚର୍ଚ୍ଚା ହୋଇଥିଲା। ଯଦି ଗୋଟିଏ କି ଦୁଇ ଦିନରେ ବାୟୁ ପ୍ରଦୂଷଣ ନ କମେ ତେବେ ଏହି ନିୟମକୁ ଲାଗୁ କରାଯିବ ବୋଲି ଆଦିତ୍ୟନାଥ କହିଛନ୍ତି।

Share