ଦିଲ୍ଲୀ ପାଇଁ ଖୁସି ଖବର: ପ୍ରଥମ ପର୍ଯ୍ୟାୟରେ ସଫଳ ହେଲା ପ୍ଳାଜମା ଥେରାପି

ନୂଆଦିଲ୍ଲୀ,୨୪।୪: କରୋନା ଭାଇରସ୍‌ ମହାସଙ୍କଟରେ ଗତି କରୁଥିବା ଦିଲ୍ଲୀ ପାଇଁ ଖୁସି ଖବର। ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ସଫଳ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏନେଇ ସୂଚନା ଦେଇଛନ୍ତି। ମଙ୍ଗଳବାର ୪ କରୋନା ସଂକ୍ରମିତ ରୋଗୀଙ୍କୁ ପ୍ଲାଜମା ଦିଆଯାଇଥିଲା। ଏହି ଉପଚାରରେ ସେଥିମଧ୍ୟରୁ ୨ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କୁ ଖୁବ୍‌ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ମିଳିପାରେ। ଆଉ ୨ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ଜଲଦି ସେମାନେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ପ୍ଲାଜମା ଥେରାପି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା। ଗୁରୁତର ରୋଗୀଙ୍କ ଉପରେ ଏହାକୁ ଟ୍ରାଏ କରିବାକୁ କୁହାଯାଇଥିଲା। ତେବେ ଏହି ଉପଚାରର ପ୍ରାଥମିକ ଫଳାଫଳ ଆଶା ଦେଖାଇଥିବା ବେଳେ ଆସନ୍ତା ୨-୩ ମଧ୍ୟରେ ଆହୁରି ପରୀକ୍ଷା କରାଯିବ ବୋଲି କେଜରିଓ୍ବାଲ କହିଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ସୁସ୍ଥ ହୋଇଛନ୍ତି ସେମାନେ ଆଗେଇ ଆସି ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଡୋନେଟ କରନ୍ତୁ ବୋଲି କେଜରିଓ୍ବାଲ ନିବେଦନ କରିଛନ୍ତି।

Share