Categories: ଜାତୀୟ

ଦିଲ୍ଲୀରେ ୪ ସଶସ୍ତ୍ର ଆତଙ୍କବାଦୀ: ଉତ୍ତର ଭାରତ ବିମାନବନ୍ଦରରେ ହାଇଆଲର୍ଟ

ନୂଆଦିଲ୍ଲୀ,୪-୧୦:ରାଜଧାନୀ ଦିଲ୍ଲୀ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ନଜର। ଜୈଶ୍‌ର ୪ ସଶସ୍ତ୍ର ଆତଙ୍କବାଦୀ ଦିଲ୍ଲୀରେ ବୁଲୁଛନ୍ତି। ସେମାନେ ପୂଜାଋତୁରେ ଆମତ୍ଘାତୀ ଆକ୍ରମଣ କରିପାରନ୍ତି ବୋଲି ସୁରକ୍ଷା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି। ଏନେଇ ଗୋଇନ୍ଦା ରିପୋର୍ଟ ମିଳିବା ପରେ ଉତ୍ତର ଭାରତର ବିମାନବନ୍ଦରଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ଏହସହ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ସୋମବାର ରାତିରେ ଜୈଶ୍‌ ଦିଲ୍ଲୀରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ଏକ ବୈଠକରେ ଏନେଇ ଆଲୋଚନା ହୋଇଛି। ୪ ସଶସ୍ତ୍ର ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଜୋର୍‌ଦାର ତଲାସି ଚାଲିଛି। ତଥ୍ୟ ଆଧାରରେ ସବୁ ପ୍ରକାର ଆତଙ୍କବାଦ ନିରୋଧୀ ପଦକ୍ଷେପ ନିଆଯାଉଛି। ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ଡେପୁଟି କମିଶନର ଏମ୍‌ଏସ୍‌ ରାନ୍ଧଓ୍ବା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀମାନେ ସରକାରଙ୍କ ବିରୋଧରେ ପ୍ରତିଶୋଧପରାୟଣ ହୋଇ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ସେମାନଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ରହିଥିବା ପୂର୍ବରୁ ମଧ୍ୟ ଗୋଇନ୍ଦା ସୂଚନା ମିଳିଥିଲା।

Share