ଦିଲ୍ଲୀରେ ବିକ୍ରି ଯୁବତୀ ଉଦ୍ଧାର

ରାଉରକେଲା ଅଫିସ,୧୨ା ୩-ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀ (୨୫) ମଙ୍ଗଳବାର ଉଦ୍ଧାର ପରେ ଗାଁକୁ ଫେରିଛନ୍ତି। ସେ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ତୁରିଟୋଲା ବାସିନ୍ଦା। ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ ଜଣେ ଯୁବକ ଗତ ୩ ତାରିଖରେ ଦିଲ୍ଲୀ ନେଇ ସେଠାରେ ବିକ୍ରି କରି ଦେଇଥିଲେ। ନିଜ କମିଶନି ଟଙ୍କା ଧରି ଏହି ପ୍ରତାରକ ଯୁବକ ଦିଲ୍ଲୀରୁ ଫେରି ଆସିଥିଲେ। ସେଠାରେ ଯୁବତୀ ଯେତେବେଳେ ଜାଣିଲେ ତାଙ୍କୁ ବିକ୍ରି କରି ଦିଆଯାଇଛି, ସେ ମାନସିକ ଭାବେ ଭାଙ୍ଗି ପଡିଲେ। କେମିତି ପରିବାର, ଗାଁ ସହ ଯୋଗାଯୋଗ କରିବେ ସେହି ଚିନ୍ତାରେ ପଡିଥିଲେ। ଏହା ଭିତରେ ସେ ଯେଉଁଠି କାମ କରୁଥିଲେ ସେଠାକାର ମାଲିକ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ବହୁତ କଷ୍ଟରେ ଯୁବତୀ ନିଜ ପରିବାର ସହ ସମ୍ପର୍କ କରିଥିଲେ। ତାଙ୍କୁ ଦିଲ୍ଲୀରେ ବିକ୍ରି କରି ଦିଆଯାଇଥିବା ନେଇ ପରିବାର ଲୋକଙ୍କୁ କାନ୍ଦିକାନ୍ଦି ଜଣାଇଥିଲେ। ଏହା ପରେ ଯୁବତୀଙ୍କ ସମ୍ପର୍କୀୟ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ମହିଳା ସାମାଜିକ କର୍ମୀ ଚାନ୍ଦମଣି ସାଣ୍ଡିଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଦାଦନ ଉଦ୍ଧାରରେ ଦୀର୍ଘ ଅଭିଜ୍ଞତା ରଖିଥିବା ଚାନ୍ଦମଣି ଏନେଇ ଗତ ୫ ମାର୍ଚ୍ଚରେ ଚାନ୍ଦିପୋଷ ଥାନା ପୋଲିସକୁ ଅବଗତ କରାଇଥିଲେ। କାର୍ଯ୍ୟାନୁଷ୍ଠାନରେ ପୋଲିସର ଶିଥିଳତା ଦେଖି ଚାନ୍ଦମଣି ଦିଲ୍ଲୀ ମାନବାଧିକାର ସଙ୍ଗଠନ ସହ ଦିଲ୍ଲୀ ପୋଲିସ କମିଶନରଙ୍କୁ ମଧ୍ୟ ଟେଲିଫୋନ ଯୋଗେ ଜଣାଇଥିଲେ। ବିକ୍ରି ଯୁବତୀଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ପୋଲିସ କମିଶନର ଯୁବତୀଙ୍କ ମୋବାଇଲ ନମ୍ବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଦିଲ୍ଲୀର ପଞ୍ଜାବୀ ବାଗରେ ଏକ ଅଫିସରେ କାର୍ଯ୍ୟ କରୁଥିବା ଯୁବତୀଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆସୁଥିବା ଟ୍ରେନରେ ବସାଇ ଦିଆଯାଇଥିଲା। ବୁଧବାର ଯୁବତୀ ସୁରକ୍ଷିତ ଭାବେ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଅପେକ୍ଷା କରିଥିବା ସମ୍ପର୍କୀୟ ଓ ସାମାଜିକ କାର୍ଯ୍ୟକର୍ତ୍ତା ସାଣ୍ଡିଲ ଘରକୁ ଆଣିଥିଲେ।