Categories: ମେଟ୍ରୋ

ଦିଲ୍ଲୀରେ ଫସିରହିଛନ୍ତି ୭୦ ଓଡ଼ିଆ ଶ୍ରମିକ

ବ୍ରହ୍ମଗିରି,୨୬ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ୧୯୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନା କାୟା ବିସ୍ତାର କରିସାରିଲାଣି। ଏହି ଭୂତାଣୁରୁ ରକ୍ଷା ପାଇବା ଏପର୍ଯ୍ୟନ୍ତ କୌଣସି ମେଡିସିନ ବାହାରି ନ ଥିବାବେଳେ କେବଳ ସଚେତନ ହିଁ ଏକପ୍ରକାର ନିରାପଦ ସୁରକ୍ଷା ବୋଲି କୁହାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ଲକଡାଉନ କରିଛନ୍ତି। ଏଥିଯୋଗୁ ଗାଡି, ରେଳ ସେବାରେ ଲାଗିଛି ରୋକ। ଏହି ଲକଡାଉନ ଘୋଷଣା ପରେ ଅନେକାଧିକ ଓଡ଼ିଆ ଲୋକ ଦେଶ ତଥା ରାଜ୍ୟ ବାହାରେ ଅଟକି ରହିଯାଇଛନ୍ତି। ଯାତାୟାତର ସବୁ ସୁବିଧା ବନ୍ଦ ରହିଥିବା ଯୋଗୁ ଓଡ଼ିଶା ଫେରି ଆସିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ସେହିଭଳି ବ୍ରହ୍ମଗିରି ବ୍ଲକର ୭୦ଜଣ ଓଡ଼ିଆ ଶ୍ରମିକ ଦିଲ୍ଲୀରେ ଫସି ରହିଛନ୍ତି। ଏମାନେ ଏବେ ଗାଁକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଣ୍ଡଗୋଦା ଓ ଡିମିରିସେଣା ପଞ୍ଚାୟତର ପ୍ରାୟ ୭୦ ଜଣ ଓଡ଼ିଆ ଶ୍ରମିକ କାମ ଅନ୍ବେଷଣରେ ଦିଲ୍ଲୀ ଯାଇଥିଲେ। କିନ୍ତୁ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସେମାନେ ଭୟଭୀତ ହୋଇ ଗାଁକୁ ଫେରିବାକୁ ଚାହଁୁଛନ୍ତି। କିନ୍ତୁ ଏହି ଲକଡାଉନ ଯୋଗୁ ସବୁ ଯିବାଆସିବା ଯୋଗାଯୋଗ ବନ୍ଦ ରହିଥିବାରୁ ସେଠାରେ ଫସିରହିଛନ୍ତି। ତେଣୁ ଗାଁକୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି। ଏଥିସହ ୯୨୬୬୫୫୮୨୪୨ ମୋବାଇଲ ନମ୍ବରରେ ସେମାନଙ୍କୁ ଯୋଗାଯୋଗ ପାଇଁ ଅନୁରୋଧ କରିଛନ୍ତି।