Categories: ଜାତୀୟ

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ନୀରିହ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ଅଞ୍ଚଳର ଉପେନ୍ଦ୍ର ଶୁକ୍ଳା। ସେ ଟ୍ୟୁସନ କରି ନିଜ ପରିବାର ପେଟ ପୋଷୁଥିଲେ। ତେବେ ଅଭିଯୁକ୍ତ ଜଣଙ୍କ ଏଭଳି କାଣ୍ଡ କାହିଁକି ଭିଆଇଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଅବସାଦ ଯୋଗୁ ଏଭଳି କରିଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ଘଟଣାସ୍ଥଳରୁ ତାଙ୍କର ୨ଟି ହାତଲେଖା ନୋଟ ମିଳିଛି। ଏହି ନୋଟ ଇଂଲିଶ୍‌ ଓ ହିନ୍ଦୀରେ ଲେଖାଯାଇଥିବା ବେଳେ ସେଥିରେ ସେ ଏହି ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଉପେନ୍ଦ୍ର ତାଙ୍କ ପତ୍ନୀ, ୭ବର୍ଷର ଝିଅ, ୫ବର୍ଷର ପୁଅ ଓ ଦେଢ଼ ମାସର ଝିଅକୁ ଛୁରୀରେ ହତ୍ୟା କରିଥିଲେ। ସକାଳେ ଉପେନ୍ଦ୍ର କବାଟ ନ ଖୋଲିବାରୁ ତାଙ୍କ ଶାଶୁ ଏନେଇ ପାଖ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଏହାପରେ ପଡ଼ୋଶୀ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଉପେନ୍ଦ୍ରଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Share