ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍‌ଲା’

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା ଦିବ୍ୟାଙ୍କର ଆଜି ହେଉଛି ଜନ୍ମଦିନ।
୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଡ୍‌ଲା’ରେ ପ୍ରଥମେ ଦିବ୍ୟା ଭାରତୀଙ୍କୁ ସାଇନ୍‌ କରାଯାଇଥିଲା। ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ମଧ୍ୟ ଶେଷ ହୋଇଥିଲା। ହେଲେ ହଠାତ୍‌ ଦିବ୍ୟାଙ୍କ ମୃତ୍ୟୁ ଘଟିବା ପରେ ଶୁଟିଂ ଅଧାରେ ରହିଯାଇଥିଲା। ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଆଗଲା। ଦିବ୍ୟାଙ୍କ ସହ ଶୁଟିଂ ହୋଇଥିବା ଏହି ଫିଲ୍ମର ଏକ ଦୃଶ୍ୟର ଭିଡିଓ ଏବେ ବି ୟୁଟ୍ୟୁବ୍‌ରେ ରହିଛି। ଏହି ଭିଡିଓରେ ଦିବ୍ୟା ଏବଂ ଅନୀଲ କପୁରଙ୍କ ମଧ୍ୟରେ ଫ୍ୟାକ୍ଟ୍ରିରେ କୌଣସି କଥାକୁ ନେଇ ବଚସା ହେଉଛି। ଦିବ୍ୟାଙ୍କ ମୃତ୍ୟୁର ୬ ମାସ ପରେ ପୁଣିଥରେ ଫିଲ୍ମର ଶୁଟିଂ କାର୍ଯ୍ୟ ଆରମ୍ଭ ହେଲା। ହେଲେ ଶୁଟିଂ ସେଟ୍‌ରେ ଘଟୁଥିଲା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା। ଏକ ଦୃଶ୍ୟରେ ଶ୍ରୀଦେବୀ ବାରମ୍ବାର ଅଟକି ଯାଉଥିଲେ। ପୂର୍ବରୁ ମଧ୍ୟ ଦିବ୍ୟା ଏହି ଦୃଶ୍ୟରେ ଅଟକି ଯାଉଥିଲେ। ଶ୍ରୀଦେବୀ ସେହି ସମାନ ସ୍ଥାନରେ ଅଟକି ଯାଉଥିବା ଦେଖି ଫିଲ୍ମର ଅନ୍ୟ କଳାକାରମାନେ ଡରିଯାଇଥିଲେ। ‘ଲାଡ୍‌ଲା’ ବ୍ୟତିତ ଦିବ୍ୟା ‘ମୋହରା’ ଏବଂ ‘ବିଜୟପଥ’ ପରି ସୁପରହିଟ୍‌ ଫିଲ୍ମ ପାଇଁ ସାଇନ୍‌ କରିସାରିଥିଲେ। ହେଲେ ସେଥିରେ ସେ କାମ କରିପାରିଲେ ନାହିଁ। ଦିବ୍ୟା ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି କଲେ ସେତେବେଳେ ସୁପରଷ୍ଟାର ହୋଇସାରିଥିବା ଶ୍ରୀଦେବୀଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା।

Share