Categories: ଖେଳ

ଦିବ୍ୟା, ପିଙ୍କି, ସରିତାଙ୍କୁ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଭାରତୀୟ ରେସ୍‌ଲର ଦିବ୍ୟା କାକ୍ରାନ, ପିଙ୍କି ଓ ସରିତା ମୋର୍‌ ଏଠାରେ ଚାଲିଥିବା ଏସିଆନ ମହିଳା ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିର୍ମଳା ଦେବୀ ଦେଶ ପାଇଁ ଏକ ରୌପ୍ୟ ଆଣିଦେଇଛନ୍ତି। ୫ ଜଣ ରେସଲ୍‌ରଙ୍କୁ ନେଇ ଅନୁଷ୍ଠିତ ୬୮ କେଜି କାଟେଗୋରି ଇଭେଣ୍ଟରେ ଦିବ୍ୟା ବିଶ୍ୱ ଜୁନିୟର ଚାମ୍ପିୟନ ଜାପାନର ନାହୁହା ମାତ୍‌ ସୁୟୁକିଙ୍କ ସମେତ ତାଙ୍କର ସମସ୍ତ ୪ଟି ବାଉଟ୍‌ରେ ବିଜୟ ହାସଲ କରିଛନ୍ତି। ପ୍ରତିଯୋଗିତା ରାଉଣ୍ଡ ରବିନ ଫର୍ମାଟରେ ହେଉଛି। ଏସିଆନ ଚାମ୍ପିୟନଶିପ୍‌ରେ ଏକ ସ୍ବର୍ଣ୍ଣ ପଦକ ହାସଲ କରିବାରେ ନବଜୋତ କୌର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସ୍‌ଲର। ସେ ୨୦୧୮ ବିଶ୍‌କେକ୍‌ଠାରେ ୬୫ କେଜି କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କ ପରେ ଏଠାରେ ଦିବ୍ୟା, ପିଙ୍କି ଓ ସରିତା ସ୍ବର୍ଣ୍ଣ ପଦକ ପାଇଛନ୍ତି। ପିଙ୍କି ମହିଳା ୫୫କେଜି ଫାଇନାଲରେ ମଙ୍ଗୋଲିଆର ଡୁଲ୍‌ଗୁନ୍‌ ବୋଲରମାଙ୍କୁ ୨-୧ରେ ହରାଇ ଦେଇଥିଲେ। ୫୦କେଜି କାଟେଗୋରି ଫାଇନାଲରେ ନିର୍ମଳା ଅଳ୍ପକେ ଜାପାନର ମିହୋ ଇଗାରାସିଙ୍କଠାରୁ ୨-୩ରେ ହାରି ସ୍ବର୍ଣ୍ଣରୁ ବଞ୍ଚତ୍ତ ହୋଇଥିଲେ। ଗୁରୁବାର ୫୯କେଜି କାଟେଗୋରି ଫାଇନାଲରେ ସରିତା ମଙ୍ଗୋଲିଆର ବାଟ୍‌ସେଟ୍‌ସେଗ୍‌ ଆଟ୍‌ଲାଣ୍ଟସେଟସେଗ୍‌ଙ୍କ ବିପକ୍ଷ ମୁକାବିଲା ୩-୨ରେ ବିଜୟ ହାସଲ କରିଥିଲେ।

Share