ଦିବ୍ୟାଙ୍ଗ ସୁକାନ୍ତଙ୍କ ଘରେ ପହଞ୍ଚିଲେ ଅଧିକାରୀ: ସହାୟତା ପ୍ରଦାନ ନେଇ ତଦନ୍ତ

ବନ୍ତ,୧୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧୀନ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସୁକାନ୍ତ ମୁଖୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ତଦନ୍ତ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଜମାଦାର ମୁଣ୍ଡା ଓ କ୍ଲଷ୍ଟର କୋଅର୍ଡିନେଟର ହୃଦାନନ୍ଦ ପାଢୀ ତାଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୪/୫ ବର୍ଷ ତଳେ ସୁକାନ୍ତ ପାୱାରଟିଲର ସାହାଯ୍ୟରେ ଜମିରେ ଚାଷ କରିବା ସମୟରେ ତାଙ୍କ ଗୋଡ଼ କଟି ଯାଇଥିଲା। ଏହି ଦୁର୍ଘଟଣା ପରେ ତାଙ୍କର ଡାହାଣ ଗୋଡଟି ଆଣ୍ଠୁ ପାଖରୁ କଟା ଯାଇଥିଲା। ସେହିଦିନଠାରୁ ସେ ଚାଲିପାରୁ ନାହାନ୍ତି। ଆଶାବାଡ଼ି ହିଁ ଏକମାତ୍ର ଭରସା। ସେ ବିବାହିତ ଥିବାବେଳେ ତାଙ୍କର ଗୋଟିଏ ମାତ୍ର ଝିଅ ଅଛି। ପରିବାର ପ୍ରତିପୋଷଣ ପାଇଁ ସେ ଘର ପାଖରେ ଏକ ସାଇକେଲ ଦୋକାନ କରିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ସେଥିରେ ତାଙ୍କ ପରିବାର ଚଳୁଛି। ନିଜର ଜମିବାଡ଼ି ନ ଥିବାବେଳେ ସରକାରୀ ସହାୟତା ଭାବେ କେବଳ ଭତ୍ତା ପାଉଛନ୍ତି। ତେବେ ସ୍ଥାୟୀ ଭାବେ ଜୀବିକା ନିର୍ବାହ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସାହାଯ୍ୟ ସକାଶେ ଆବେଦନ କରିଥିଲେ। ତାଙ୍କୁ ସହାୟତା ପ୍ରଦାନ ପୂର୍ବରୁ ଏହି ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ। କିପରି ଖୁବ୍‌ଶୀଘ୍ର ସୁକାନ୍ତଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି।