ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ତଥା ଅତିରିକ୍ତ ଜିଲାଜଜ୍‌ ରାଜକିଶୋର ମହାପାତ୍ର ଅଭିଯୁକ୍ତ ସୁବାସ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପୋକ୍‌ସୋ) ସୁଲେମାନ ଖଁା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ଜାନୁୟାରୀ ୧୮ରେ ସମ୍ପୃକ୍ତ ନାବାଳିକା କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ତାଙ୍କୁ ଏକୁଟିଆ ପାଇ ସୁବାସ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ୧୯ ତାରିଖରେ କଙ୍କଡ଼ାହାଡ଼ ଥାନାରେ ନଂ. ୩/୧୬ରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ ହୋଇଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ସିଟି ସ୍ପେଶାଲ କେସ୍‌ ନଂ. ୬/୧୬ର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।