ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ନିଆଳି,୧୪।୩ (ଡି.ଏନ୍‌.ଏ.): ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାରେ ନିଆଳି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପରିଡା(କୁନା)।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ଦିପୋଟି ମେଳଣ ଜମାଣ ଦେଖିବାକୁ ଗୁରୁବାର ରାତିରେ ନାବାଳିକା ଜଣକ ତାଙ୍କ ବାପାଙ୍କ ସହ ଯାଇଥିଲେ। ରାତି ପ୍ରାୟ ୨ଟା ରେ ନାବାଳିକା ଜଣକ ଚାଟ ଖାଇବା ପାଇଁ ବାପାଙ୍କଠାରୁ ଟଙ୍କା ନେଇ ଦୋକାନକୁ ଯାଇଥିଲେ। ଝିଅର ଫେରିବାରେ ବିଳମ୍ବ ହେବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। କିଛି ସମୟ ପରେ ନାବାଳିକା ଜଣକ ମେଳଣ ପଡିଆର ଗଣେଶ ମନ୍ଦିର ପଟୁ ଆସୁଥିବା ବେଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ନାବାଳିକା ଜଣକ କଥା କହିପାରୁ ନ ଥିବା ବେଳେ କାନକୁ ଶୁଭୁ ନ ଥିଲା। ଠାରରେ ତାଙ୍କ ଗ୍ରାମର ଯୁବକ ତାଙ୍କୁ ବଳାତ୍କାର କରିଥିବା ଜଣାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସମ୍ପୃକ୍ତ ଯୁବକଙ୍କୁ ଧରିଥିଲେ। ଏ ନେଇ ନାବାଳିକାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୬୧/୨୦)ରୁଜୁକରି କୁନାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି ବୋଲି ଯାଦବ ମହାସଂଘ ଦାବି କରିଛି। ୨୪ଘଣ୍ଟା ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରା ନ ଯାଏ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଆଇଆଇସି ବିଜୟ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗକୁ ଭିତ୍ତିକରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଗଣବଳାତ୍କାର ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି।