ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ

ବାସୁଦେବପୁର, ୫।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ଦିବ୍ୟାଙ୍ଗ ପିଲାଙ୍କୁ ହ୍ବିଲ୍‌ଚେୟାର, ୬୯ ମାନସିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ କିଟ୍‌ସ, ୨ ଜଣଙ୍କୁ ଆଶାବାଡ଼ି, ୨ ଜଣଙ୍କୁ ରୋଲେଟର ଓ ୨ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଭଗବାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଓ ପିଲାମାନଙ୍କୁ ଲୁକ୍କାୟିତ ଐଶରିକ ଶକ୍ତି ପ୍ରଦାନ କରିଥାନ୍ତି ବୋଲି କହିଥିଲେ। ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରାଯାଇପାରିଲେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଇଓ ରବୀନ୍ଦ୍ର ନାରାୟଣ ମଲ୍ଲିକ, ଏବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଯାମିନୀକାନ୍ତ ପାଢ଼ୀ ଓ ଏବିଇଓ ଗଙ୍ଗାଧର ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ସହକାରୀ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ପାଢ଼ୀ। ସିଆର୍‌ସିସି ପ୍ରଣୟ ମହାପାତ୍ର ଅତିଥି ପରିଚୟ ଦେଇଥିଲେ। ବିଆର୍‌ପି ଉଦ୍ଦାର ପାଣିଗ୍ରାହୀ, ସନ୍ତୋଷୀ ମହଲା, ଆଇଇଭି ନିରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।