Categories: ଖେଳ

ଦିନେ ପିତାଙ୍କ କାନ୍ଧ ଉପରେ ବସି ସଚିନ..ସଚିନ… ଚିତ୍କାର କରୁଥିଲେ, ଆଜି ଭାଙ୍ଗିଲେ ତାଙ୍କ ରେକର୍ଡ

ନାଗପୁର, ୧୨।୧୧: ପଡିଆ ବାହାରେ ବସି ନିଜ ଆଦର୍ଶ ଖେଳାଳିଙ୍କୁ ଚିୟର୍‌ କରୁଥିବା ଜଣେ ପ୍ରଶଂସକ, ଦିନେ ତାଙ୍କ ରେକର୍ଡ ଭାଙ୍ଗିବେ ତାହା କେହି ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। କିନ୍ତୁ ଏମିତି କରି ଦେଖାଇଛନ୍ତି ୧୫ ବର୍ଷୀୟ ଶେଫାଳି ବର୍ମା। ୨୦୧୩ରେ ପିତାଙ୍କ କାନ୍ଧରେ ବସି ଆଦର୍ଶ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶେଷ ରଣଜୀ ଟ୍ରଫି ମ୍ୟାଚ୍‌ ଦେଖିବାକୁ ଲାହଲିର ବଂଶୀଲାଲ ଷ୍ଟାଡିୟମ ଯାଇଥିଲେ ଶେଫାଳି। ଷ୍ଟାଡିୟମରେ ବସି ସଚିନଙ୍କ ଖେଳ ଦେଖି ସଚିନ..ସଚିନ ଚିତ୍କାର କରୁଥିବା ଶେଫାଳି ଆଜି ତାଙ୍କ ୩୦ ବର୍ଷ ରେକର୍ଡ ଭାଙ୍ଗିଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମ୍‌ ସେଣ୍ଟଲୁସିଆର ଡ୍ୟାରେନ୍‌ ସାମି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଚମକିଛନ୍ତି ଶେଫାଳି। ସେ ଲଗାତର ଦୁଇଟି ମ୍ୟାଚ୍‌ରେ ଅଦ୍ଧର୍ର୍ଶତକ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୪୯ଟି ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହ ୭୩ରନ୍‌ ରନର ପାଳି ଖେଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୪୪ଟି ବଲ୍‌ରୁ ୧୦ଟି ଚୌକା ଏବଂ ୨ଟି ଛକା ସହ ୬୯ରନର ପାଳି ଖେଳିଥିଲେ। ଏହାସହ ଭାରତର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୦ ବର୍ଷ ରେକର୍ଡ ଭାଙ୍ଗିଛନ୍ତି। ତେନ୍ଦୁଲକର ୧୬ ବର୍ଷ ୨୧୪ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଫାଳି ୧୫ ବର୍ଷ ୨୮୫ ଦିନରେ ଏହି କୃତିତ୍ୱ ହାସଲ କରିଛନ୍ତି। ହରିୟାଣା ବାସିନ୍ଦା ଶେଫାଳି ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି। ଭାରତୀୟ ମହିଳା କ୍ରିକେଟରେ କେହି କେହି ତାଙ୍କୁ ଲେଡି ତେନ୍ଦୁଲକର କହିବା ଆରମ୍ଭ କଲେଣି।

Share