Categories: ଖେଳ

ଦିନିକିଆ ସିରିଜ୍‌: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ପୋଚେଫ୍ସଟ୍ରୁମ୍‌, ୮।୩- ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୨୭ଟି ବଲ୍‌ ବାକି ରଖି ୬ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ବିଶିଷ୍ଟ ଏହି ଦିନିକିଆରେ ସବୁ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ମାର୍ନସ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଥିବା ବେଳେ ଡି’ଅର୍ସି ଶର୍ଟ ୩୬, ମିଚେଲ ମାର୍ଶ ୩୨, ଅଧିନାୟକ ଆରୋନ ଫିଞ୍ଚ୍‌ ୨୨, ଷ୍ଟିଭେନ୍‌ ସ୍ମିଥ ୨୦ ରନ କରି ଆଉଟ ହୋଥିଲେ। ଝେ ରିଚାର୍ଡସନ ୨୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକାର ଅନରିଚ ନୋର୍ଜ ଓ ଜେ.ଜେ. ସ୍ମୁଟ୍‌ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୪ ଉଇକେଟ ହରାଇ ୨୫୮ ରନ କରି ବିଜୟ ହାସଲ କରିଛି। ଦଳ ତରଫରୁ ସ୍ମୁଟ ସର୍ବାଧିକ ୮୪, ହେନରିଚ କ୍ଲାସେନ ଅପରାଜିତ ୬୮, କାଏଲ ଭେରେଇନ୍‌ ୫୦, ଓପନର ଜାନେମାନ ମଲାନ ୨୩, ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୨୬ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ବୋଲିଂରେ ଜୋଶ ହାଜେଲଉଡ ୨, କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ୨ ଉଇକେଟ ନେବା ସହ ୮୪ ରନର ଉପଯୋଗୀ ପାଳି ଖେଳିଥିବା ଦକ୍ଷିଣ ଆଫ୍ରିକା ଅଲ-ରାଉଣ୍ଡର ସ୍ମୁଟ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି କ୍ଲାସେନ ପ୍ଲେୟାର ଅଫ୍‌ ଦି ସିରିଜ ଭାବେ ପୁରସ୍କୃତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୪/୭
(ଲାବୁସେନ- ୧୦୮, ଶର୍ଟ- ୩୬, ମାର୍ଶ- ୩୨, ଫିଞ୍ଚ୍‌- ୨୨, ରିଚାର୍ଡସନ-୪*, ନୋର୍ଜ- ୨/୩୫, ସ୍ମୁଟ୍‌- ୨/୪୨)।
ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୫୮/୪
(ସ୍ମୁଟ୍‌- ୮୪, କ୍ଲାସେନ- ୬୮*, ଭେରେଇନ- ୫୦, ହାଜେଲଉଡ- ୨/୩୭)।

Share