Categories: ଖେଳ

ଦିନିକିଆ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ କୋହଲି, ରୋହିତ

ଦୁବାଇ,୧୦।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଦିନିକିଆ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ନିଜ ସ୍ଥାନ ଦୃଢ଼ିଭୂତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୮୭୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଉପଅଧିନାୟକ ରୋହିତ ଶର୍ମା ଦିନିକିଆ ସିରିଜ୍‌ରେ ନ ଖେଳିବା ସତ୍ତ୍ୱେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ନିକଟରେ ୮୪୨ ପଏଣ୍ଟ ରହିଛି। ରୋହିତ ଓ ତୃତୀୟ ସ୍ଥାନରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ (୮୩୭ ପଏଣ୍ଟ)ଙ୍କ ମଧ୍ୟରେ ରହିଛି ମାତ୍ର ୫ ପଏଣ୍ଟର ବ୍ୟବଧାନ।

୨୦୧୯ ଆଇସିସି ବିଶ୍ୱକପ୍‌ ପରେ ପ୍ରଥମ ଥର ଦିନିକିଆ ଫର୍ମାଟରେ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚ୍‌ରେ ୯୦ ଓ ତୃତୀୟ ମ୍ୟାଚ୍‌ରେ ୯୨ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହି କାରଣରୁ ସେ କ୍ୟାରିୟରରେ ପ୍ରଥମ ଥର ପାଇଁ ଟପ୍‌ ୫୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେ ୫୫୩ ପଏଣ୍ଟ ସହ ୪୯ତମ ସ୍ଥାନରେ ରହିଛନ୍ତି।

ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଯଶପ୍ରୀତ ବୁମରା ୭୦୦ ପଏଣ୍ଟ ସହ ଅଧିକାର କରିଛନ୍ତି ତୃତୀୟ ସ୍ଥାନ। ଏହି ତାଲିକାର ଶୀର୍ଷରେ ଅଛନ୍ତି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୨୨)।

Share