ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ ତାତି ବଢ଼ିବ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ଯାଏ ଗ୍ରୀଷ୍ମର ପ୍ରକୋପ ରହିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଯିବ। ସନ୍ଧ୍ୟା ଆଡକୁ ଝଡ଼ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ଯାଏ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ଛତିଶଗଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡିରେ ୪୦, ଅନୁଗୋଳରେ ୩୯.୭, ଟିଟିଲାଗଡ଼ରେ ୩୯, ବଲାଙ୍ଗୀରରେ ୩୮.୬, କଟକରେ ୩୭.୮, ଭୁବନେଶ୍ୱରରେ ୩୭.୩, ଚାନ୍ଦବାଲିରେ ୩୭.୭, ବାରିପଦାରେ ୩୯, ତାଳଚେରରେ ୩୭.୩, ସୋନପୁରରେ ୩୭.୪, ବୌଦ୍ଧରେ ୩୮.୫, ଏବଂ ନୟାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।