Categories: ଖେଳ

ଦିନଥିଲା ଗୁପ୍‌ଚୁପ୍‌ ବିକୁଥିଲେ, ଏବେ ୧୭ ବର୍ଷ ବୟସରେ ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇଲେ

ବେଙ୍ଗାଲୁରୁ,୯।୧୦:ଆଲୁର ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ୍‌ ଏର ଏକ ମ୍ୟାଚ୍‌ରେ ମୁମ୍ବାଇ ୧୩୦ ରନରେ ଗୋଆକୁ ପରାସ୍ତ କରିଛନ୍ତି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୬୨ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଗୋଆ ୪୮.୧ ଓଭରରେ ୨୩୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ଧୂଆଁଧାର ବ୍ୟାଟିଂ କରିଥିଲେ ୧୭ବର୍ଷୀୟ ଯଶସ୍ବୀ ଯଶଓ୍ବାଲ। ସେ ୧୧୩ ରନର ପାଳି ଖେଳିଥିଲେ। ମୁମ୍ବାଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀଙ୍କ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଖୁବ୍‌ କମ୍‌ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ୍‌ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ  କୋଚ୍‌ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା।

Share