Categories: ଜାତୀୟ

ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର ଜେଲ ଅଫିସରମାନଙ୍କର ଏକ ଟିମ୍‌ ମଙ୍ଗଳବାର ମିରଟ ଯାଇ ଘାତକ ପବନ ଜହ୍ଲାଦଙ୍କୁ ଭେଟିଥିଲେ। ତାଙ୍କୁ ଦିଲ୍ଲୀ ପୋଲିସର ଏକ ଟିମ୍‌ କଡ଼ା ସୁରକ୍ଷା ମଧ୍ୟରେ ତିହାର ଆଣିଛି। ତାଙ୍କୁ ୩ ନମ୍ବର ଜେଲରେ ଥିବା ସ୍ବତନ୍ତ୍ର ବାରାକ୍‌ରେ ରଖାଯାଇଛି। ପ୍ରତି ଦୋଷୀଙ୍କୁ ଫାଶୀ ଦେବା ଲାଗି ଘାତକଙ୍କୁ ୨୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଜେଲ ସୂତ୍ରରୁ ଜଣାପଡିଛି।
ଅନ୍ୟପକ୍ଷରେ ଦୋଷୀ ଅକ୍ଷୟ ସିଂଙ୍କ ଦ୍ୱିତୀୟ କ୍ଷମା ଆବେଦନର ବିଚାର ହୋଇ ନ ଥିବାରୁ ମୃତ୍ୟୁଦଣ୍ଡ ବାତିଲ କରିବା ପାଇଁ ଆବେଦନ ହୋଇଛି। ଏହା ଉପରେ ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷ ଓ ପୋଲିସକୁ ନୋଟିସ ଜାରି କରିଛନ୍ତି। ଗୁରୁବାର ଏହା ଉପରେ ଶୁଣାଣି ହେବ। ମଙ୍ଗଳବାର ଅନ୍ୟତମ ଦୋଷୀ ପବନ ଗୁପ୍ତା ମଧ୍ୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ ଦାଏର କରିଛନ୍ତି। ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯାଇଥିଲା। ସେଦିନ ଦିଲ୍ଲୀରେ ଅନୁପସ୍ଥିତ ଥିଲେ ବୋଲି ମୁକେଶ ସିଂ କରିଥିବା ଦାବି ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ସେପଟେ ଅପରାଧୀ ଅକ୍ଷୟ ସିଂଙ୍କ ସ୍ତ୍ରୀ ପୁନୀତା ଦେବୀ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ସେ ଜଣେ ବଳାତ୍କାରୀଙ୍କ ବିଧବା ପରିଚୟରେ ବଞ୍ଚତ୍ବାକୁ ଚାହାନ୍ତି ନାହିଁ ବୋଲି ପିଟିଶନରେ ଦର୍ଶାଇଛନ୍ତି। ବିହାରର ଏକ ଫାମିଲି କୋର୍ଟରେ ଗୁରୁବାର ପିଟିଶନର ଶୁଣାଣି ହେବ।

Share