Categories: ରାଜ୍ୟ

ଦିନକ ପରେ ନିର୍ବାଚନ ଫଳ: ଭୋଟଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୨୨।୫- ଖୋଲିବ ଇଭିଏମ୍‌ରେ ବନ୍ଦ ଥିବା ପ୍ରାର୍ଥୀଙ୍କ ଭାଗ୍ୟ। ଘଟିବ ସବୁ କଳ୍ପନାଜଳ୍ପନାର ଅନ୍ତ। କାହା ମୁଣ୍ଡରେ ଭୋଟର ସୁନାକଳସ ଢାଳିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ନିର୍ବାଚନର ଅନ୍ତିମ ପର୍ବ ଭୋଟ ଗଣତିକୁ ଆଉ ମାତ୍ର କେଇଘଣ୍ଟା ବାକିଥିବାବେଳେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଅନ୍ୟପଟେ ଗୁରୁବାର ହେବାକୁ ଥିବା ଭୋଟଗଣତି କାର୍ଯ୍ୟ ଯେପରି ସୁରୁଖୁରୁରେ ସମାପ୍ତ ହେବ ସେ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏବଂ ଏସ୍‌ପି ଅନୁପମା ଜେମ୍‌ସ ଭୋଟଗଣତି କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି।
ସକାଳେ ସାଢ଼େ ୭ଟାରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହେବ। ଇଭିଏମ୍‌, ଭିଭିପିଏଟି ଥିବା କେନ୍ଦ୍ରଗୁଡ଼ିକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି। କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍‌, କ୍ୟାମେରା ବାରଣ କରାଯାଇଛି। ଢେଙ୍କାନାଳ ବିଧାନସଭା ଓ ଲୋକ ସଭା ପାଇଁ ସହର ଉପକଣ୍ଠ ମହିଷାପାଟସ୍ଥିତ ଓୟାରହାଉସରେ ଭୋଟଗଣତି ହେବ। ଏଠାରେ ବିଧାନସଭା ପାଇଁ ୧୦ ଏବଂ ଲୋକ ସଭା ପାଇଁ ୧୦ ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ୩ଜଣ ଲେଖାଏ କର୍ମଚାରୀ ରହିବେ। ଟେବୁଲ ପିଛା ୩ଜଣଙ୍କୁ ରିଜର୍ଭ ରଖାଯିବ। ଉଭୟ ଲୋକ ସଭା ଏବଂ ବିଧାନସଭା ଅନ୍ତର୍ଗତ ୫ ଲେଖାଏ ବୁଥର ଭିଭିପିଏଟି ଗଣତି କରାଯିବ। ସେହିପରି କାମାକ୍ଷାନଗର, ପରଜଙ୍ଗ ନିର୍ବାଚନମଣ୍ଡଳୀ ପାଇଁ କାମାକ୍ଷାନଗର କଲେଜରେ ଏବଂ ହିନ୍ଦୋଳ ନିର୍ବାଚନମଣ୍ଡଳୀ ପାଇଁ ହିନ୍ଦୋଳ ହାଇସ୍କୁଲରେ ଭୋଟଗଣତି କରାଯିବ। ସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ସ୍ତରରେ ରାଜ୍ୟ ପୋଲିସ, ଦ୍ୱିତୀୟରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ତୃତୀୟ ସ୍ତରରେ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ସନ୍ଧ୍ୟାସୁଦ୍ଧା ଫଳାଫଳ ଜଣାପଡ଼ିବା ସମ୍ଭାବନା ରହିଛି।
ଚଳିତ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୧୫ଲକ୍ଷ ୧ହଜାର ୩ ଭୋଟରଙ୍କ ମଧ୍ୟରୁ ୧୧ଲକ୍ଷ ୨୫ହଜାର ୪୦୫ ମତଦାନ ସାବ୍ୟସ୍ତ କରିଛନ୍ତି, ଯାହା ୭୪.୯୮ ପ୍ରତିଶତ ରହିଛି।