ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ ଗୋଟିଏ ଜୀବନ ଯାଉଛି। ଶନିବାର ସୁଦ୍ଧା ବିଶ୍ୱରେ ୩୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨.୪୧ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏଥିରେ ପ୍ରାଣ ହରାଇଲେଣି। ସବୁଠାରୁ ବଡ଼କଥା ହେଲା ଗୋଟିଏ ଦିନରେ ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୩୮ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଶନିବାର କେବଳ ଆମେରିକାରେ ୬ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଦେଖିବାକୁ ମିଳିଛି।
ଆମେରିକାରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୧.୩୮ ଲକ୍ଷରେ ପହଞ୍ଚିଛି। ଏଠାରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬୬ ହଜାର ଟପିଛି। ସେହିଭଳି ସ୍ପେନ୍‌ରେ ୨.୪୫ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୫ ହଜାର ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୨୮,୭୧୦ ବ୍ୟକ୍ତି ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବଢ଼ି ୨.୦୯ ଲକ୍ଷରେ ପହଞ୍ଚିଲାଣି। ସେହିଭଳି ଫ୍ରାନ୍ସରେ ୨୪,୫୯୬ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୭ ଲକ୍ଷ ଟପିଛି। ବ୍ରିଟେନରେ ୧.୭୭ ଲକ୍ଷ କରୋନା ରୋଗୀ ଥିବାବେଳେ ୨୭,୫୧୦ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଅନୁରୂପ ଭାବେ ଜର୍ମାନୀ, ରୁଷିଆ, ତୁର୍କୀରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି, ଯାହାକି ଆଗାମୀ ଦିନ ପାଇଁ ଚିନ୍ତା ବଢ଼ାଇଛି। ଜର୍ମାନୀରେ ୬,୭୩୬, ରୁଷିଆରେ ୧,୨୨୨, ତୁର୍କୀରେ ୩,୨୫୮, ଇରାନରେ ୬,୧୫୬, ବ୍ରାଜିଲରେ ୬,୪୩୪, ଚାଇନାରେ ୪,୬୩୩, ବେଲଜିୟମରେ ୭,୭୬୫, ନେଦରଲାଣ୍ଡ୍ସ୍‌ରେ ୪,୯୮୭ ବ୍ୟକ୍ତି ପ୍ରାଣ ହରାଇଲେଣି।

Share