ଦିନକରେ ଗଡ଼ିଲା ୯୨ ମୁଣ୍ଡ

ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି ପାଇଥିବା ବେଳେ ୨,୬୪୪ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ୯୨ ଜଣ ପ୍ରାଣ ହରାଇଥିବା ବେଳେ ୩,୬୦୧ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସ୍ଥିତି ଜଟିଳ ରହିଥିବା ଜଣାପଡ଼ିଛି। ଏହି ରାଜ୍ୟରେ ୨୭,୫୨୪ କରୋନା ରୋଗୀ ଥିବାବେଳେ ପ୍ରାଣ ହରାଇଲେଣି ୧,୦୧୯ ବ୍ୟକ୍ତି। ଦିନକରେ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧,୬୦୨ ନୂଆ ମାମଲା ନଜରକୁ ଆସିଛି। ଗୁଜରାଟ, ତାମିଲନାଡ଼ୁ, ଦିଲ୍ଲୀ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୁଜରାଟକୁ ପଛରେ ପକାଇ ତାମିଲନାଡ଼ୁ ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବା ରାଜ୍ୟ ଭାବେ ଉଭା ହୋଇଛି। ତାମିଲନାଡ଼ୁରେ ଏବେ ୯,୬୭୪ ସଂକ୍ରମିତ ଥିବାବେଳେ ୬୬ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ୪୪୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି।
ଗୁଜରାଟରେ ୯, ୫୯୨ କରୋନା ରୋଗୀ ଥିବାବେଳେ ୫୮୬ ବ୍ୟକ୍ତି ପ୍ରାଣ ହରାଇଲେଣି। ଦିନକରେ ୨୦ ମୁଣ୍ଡ ଏଠାରେ ଗଡ଼ିଥିବା ଜଣାପଡ଼ିଛି। ଗୁରୁବାର ୩୨୪ ନୂଆ ମାମଲା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ଏଠାରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭୦କୁ ବୃଦ୍ଧିପାଇଥିବା ବେଳେ ନୂଆ ୪୭୨ ମାମଲା ଦେଖିବାକୁ ମିଳିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଏହି ୫ ରାଜ୍ୟରେ ଏବେ ୧୭ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୩୭, ୮୬, ୧୨୨, ୨୧୫ ଓ ୪୮କୁ ବୃଦ୍ଧି ପାଇଛି। ତେଲଙ୍ଗାନାରେ ୩୪, ପଞ୍ଜାବରେ ୩୨ ଓ କର୍ନାଟକରେ ୩୫ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଯଦିଓ ୨୭,୭୭୮ ଭୂତାଣୁ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି କେତେକ ରାଜ୍ୟରେ ଉଗ୍ର ସଂକ୍ରମଣ ନିଦ ହଜାଇ ଦେଇଛି। ଲକ୍‌ଡାଉନ ସତ୍ତ୍ୱେ ସେଭଳି ସୁଫଳ ମିଳିପାରୁନି। ସରକାର ସାମାଜିକ ଦୂରତ୍ୱ ରକ୍ଷାକରିବାକୁ କହୁଛନ୍ତି। ଏହି ଭୂତାଣୁବାହୀ ରୋଗର କୌଣସି ସଫଳ ଔଷଧ ଆସି ନ ଥିବାରୁ ସଂକ୍ରମଣ ସ୍ଥିତିକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟିହୋଇଛି।

Share