ଦିଆସିଲ କାଠିରେ କଳାଠାକୁର

ପୁରୀ ଅଫିସ,୨୪ା୧୦: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। କାରଣ ଆଗ୍ରହ ହିଁ ସଫଳତାର ନିକଟତର କରାଏ। ଜଣେ ଯୁବଶିଳ୍ପୀ ଏଭଳି ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଦିଆସିଲ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହେଲେ ପୁରୀ କୁମ୍ଭାରପଡ଼ାର ରଶ୍ମି ଓ ସୁଦର୍ଶନ ସାହୁଙ୍କ ୧୭ ବର୍ଷୀୟ ପୁଅ ଶାଶ୍ୱତ ରଞ୍ଜନ ସାହୁ। ଏହି ନିଆରା କଳାକୃତି ମାଧ୍ୟମରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁା ସାମିଲ ପାଇଁ ଶାଶ୍ୱତ ଆବେଦନ କରିଛନ୍ତି।
ଦିଆସିଲ କାଠିରେ କଳା ଠାକୁରଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସମ୍ପର୍କରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଶାଶ୍ୱତ କହିଛନ୍ତି, ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ରହିଛି। କେବେ ଦିଆସିଲ କାଠିରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ତିଆରି କରିବେ ବୋଲି ଭାବି ନ ଥିଲେ। ମାତ୍ର ବର୍ତ୍ତମାନ କରୋନା ପାଇଁ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ଭକ୍ତମାନେ ଠାକୁରଙ୍କ ଦର୍ଶନରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ନିଆରା କଳାକୃତି ମାଧ୍ୟମରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲାଯାଉ ବୋଲି ବାର୍ତ୍ତା ଦେବାକୁ ସେ ଚାହିଁଥିଲେ। ତେଣୁ ଦିଆସିଲ କାଠିରେ କଳାଠାକୁରଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ୭,୮୮୧ଟି ଦିଆସିଲ କାଠି ଏବଂ ଅଠା ବ୍ୟବହାର କରି ୧୭ ଇଞ୍ଚ ଉଚ୍ଚତା ଓ ୧୫ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି। ଏଥିପାଇଁ ତାଙ୍କୁ ୨୧ ଦିନ ଲାଗିଛି ବୋଲି ଶାଶ୍ୱତ କହିଛନ୍ତି।