Categories: କନ୍ଧମାଳ

ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଏମ୍‌ପି ପ୍ରଥମେ ଦାରିଙ୍ଗବାଡ଼ି ଗାନ୍ଧୀ ପାଠାଗାରଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ। ପରେ ବିଧାୟକ ପ୍ରଧାନଙ୍କ ସହ ମିଶି ବ୍ଲକ ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ ା ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ, ଲୋକପ୍ରତିନିଧି, ବିଭିନ୍ନ ସଙ୍ଗଠନ, ସାହିତ୍ୟ ଏକାଡେମୀ ସଦସ୍ୟ ଯୋଗଦେଇ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ଏମ୍‌ପି ଏବଂ ବିଧାୟକଙ୍କୁ ଜଣାଇଥିଲେ ା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ ଶଯ୍ୟା ଥିବା ବେଳେ ତାହାକୁ ୪୦କୁ ବୃଦ୍ଧି କରିବା, ଅତ୍ୟାଧୁନିକ ଚିକିତ୍ସା ସୁବିଧା ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା। ଦାରିଙ୍ଗବାଡ଼ିରେ ଥିବା ମୃତଦେହ ବ୍ୟବଚ୍ଛେଦ ଗୃହରେ ଆଲୁଅ ବ୍ୟବସ୍ଥା ଓ ଏକ ପକ୍କା ଗୃହ ନିର୍ମାଣ ପାଇଁ ବୈଠକରେ ଲୋକେ ଦାବି କରିଥିଲେ ା ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ସହ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ସୁବିଧା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜଣାଇଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର ହୋଇଥିବା ଅବଗତ କରାଯାଇଥିଲା। ସମସ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଏମ୍‌ପି ସାମନ୍ତ ଓ ବିଧାୟକ ପ୍ରଧାନ କହିଛନ୍ତି। ବୈଠକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ତଥା ବହୁମୁଖୀ ସମବାୟ ସମିତିର ଅଧ୍ୟକ୍ଷ ଧର୍ମେନ୍ଦ୍ର ପ୍ରଧାନ, ଦିଲୀପ କୁମାର ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, କ୍ଷେତ୍ରିବଳ ନାୟକ ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଦେଶୀ ନାୟକ ଧନ୍ୟବାଦ ଜଣାଇଥିଲେ ା