ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବୋମାମାଡ଼ରୁ ସରପଞ୍ଚ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଅଭିଯୁକ୍ତ ନିଜେ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ପୂର୍ବଯୋଜନା ଅନୁଯାୟୀ, ଲାଠି ଗାଁର ଅପରାଧୀ ଚେରୁ ଓରଫ୍‌ ଶ୍ୟାମସୁନ୍ଦର ଗୌଡ଼ ଓ ତାଙ୍କ ୨ ସହଯୋଗୀ ସରପଞ୍ଚଙ୍କୁ ଅଟକାଇ ଦାଦାବଟି ମାଗିଥିଲେ। ସରପଞ୍ଚଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହେବା ପରେ କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ଅପରାଧୀଙ୍କୁ କାବୁ କରିବାକୁ ଗୋଡ଼ାଇଥିଲେ। ତେବେ ଚେରୁ ସରପଞ୍ଚଙ୍କ ଉପରକୁ ବୋମା ଫିଙ୍ଗିବାବେଳେ ଅସାବଧାନତା ଯୋଗୁ ବିସ୍ଫୋରଣ ହେବାରୁ ତାଙ୍କ ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚେରୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସରପଞ୍ଚଙ୍କ ଏତଲା କ୍ରମେ ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତ ଚେରୁଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ଚେରୁଙ୍କ ଚିକିତ୍ସା ଚାଲିଥିବାବେଳେ ୨ ସହଯୋଗୀ ଫେରାର ଥିବା ଆଇଆଇସି କହିଛନ୍ତି। ଚେରୁଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ଥିବା ଜଣାପଡ଼ିଛି।

Share