ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)। ଏନେଇ ଅଭିଯୋଗ ପରେ ବଡ଼ବଜାର ଥାନା ପୋଲିସ ୧୭୪/୧୯ ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ଆହତ ତୋଫାନ ମଧ୍ୟ ଏକ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।
ସୂଚନାଯୋଗ୍ୟ, ତୋଫାନ ରବିବାର ରାତିରେ ତାଙ୍କ ପିଉସୀ ରହୁଥିବା ଝରଣାନଗରକୁ ଯାଉଥିଲେ। ସେଠାରେ ତୋଫାନଙ୍କୁୁ ଦୁର୍ଦ୍ଦାନ୍ତ ଅପରାଧୀ ଜଳନ୍ଧର ଦାସଙ୍କ ଭଣଜା ଶିଶିର ଦାସ ଏବଂ ତାଙ୍କ ସହଯୋଗୀ ଅଜୁ ସାହୁ ପ୍ରଥମେ ଅଟକାଇ ଦାଦାବଟି ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଏକ ଖଣ୍ଡାରେ ସେମାନେ ଆକ୍ରମଣ କରିଥିଲେ ବୋଲି ତୋଫାନ ଥାନାରେ ଲିଖିତ ଏତଲା ଦେଇଥିବା ପୋଲିସ କହିଛି। ଅନ୍ୟପଟେ ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।