Categories: ରାଜ୍ୟ

ଦାଦାଙ୍କ ଯୋଗୁ ଦହିବରା ବିକିପାରୁଛି

ଦିନେ କାମ ଖୋଜିବାକୁ ଘର ଘର ବୁଲୁଥିଲି। ମୂଲ ମଜୁରି କରି ପେଟ ପୋଷିବାକୁ ଚେଷ୍ଟା କରୁଥିଲି। ହେଲେ ଦାଦାଙ୍କ ଦହିବରା ବ୍ୟବସାୟ ଓ ଏକ ଜଳଖିଆ ଦୋକାନରେ କାମ କରିବାର ଅଭିଜ୍ଞତା ହିଁ ମୋତେ ଦହିବରା ବ୍ୟବସାୟ କ୍ଷେତ୍ରକୁ ଟାଣି ଆଣିଛି। ପିଲାବେଳୁ ଦାଦାଙ୍କ ସହ କାମ କରିଥିବାରୁ ଏହି ବେପାର ମୋ ପାଇଁ ଅଧିକ ସହଜ ହୋଇଯାଇଛି। ଏବେ ପରିବାର ଚଳାଇବା ଓ ପିଲାଙ୍କୁ ମଣିଷ କରିବାରେ କିଛି ଅସୁବିଧା ହେଉନି ବୋଲି କହିଛନ୍ତି ଅନୁଗୋଳ ବଜାର ମାଢୁଆଳି ଧର୍ମଶାଳା ସମ୍ମୁଖରେ ଦହିବରା ବିକ୍ରି କରୁଥିବା ଦୟାନିଧି ସାହୁ।
ଦୟାନିଧିଙ୍କ ଘର କଟକ ଜିଲା ବଡ଼ମ୍ବା ଥାନା ଗୋପପୁର ଗ୍ରାମରେ। ବାପା ସତ୍ୟବାଦୀଙ୍କ ତିନିପୁଅ ମଧ୍ୟରୁ ଦୟାନିଧି ବଡ଼। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପରିବାର ପାଇଁ କଷ୍ଟକର ହୋଇପଡ଼ିବାରୁ ତାଙ୍କୁ ଦହିବରା ବିକ୍ରି କରୁଥିବା ଦାଦା କୀର୍ତ୍ତନ ସାହୁଙ୍କ ସହ କାମ କରିବାକୁ ପଡ଼ିଲା। ଦାଦାଙ୍କ ପାଖରେ ୧୨ ବର୍ଷ ରହି ସାହାଯ୍ୟ କରିବା ସହିତ ମୂଲ ମଜୁରି କରୁଥିଲେ। କିନ୍ତୁ ସେଥିରେ ଚଳିବା କଷ୍ଟକର ହେବାରୁ ଏକ ଜଳଖିଆ ଦୋକାନରେ କାମ କଲେ। ସେଠାରୁ କାମ ଶିଖି ନିଜେ ଏକ ଠେଲାଗାଡ଼ି ମାଧ୍ୟମରେ ଜଳଖିଆ ବିକିଲେ। ୭ ବର୍ଷ ଏପରି ଜଳଖିଆ ବିକ୍ରି କରିବା ପରେ ଅଧିକ ରୋଜଗାର ପାଇଁ ଦାଦାଙ୍କ ପରି ଦହିବରା ବ୍ୟବସାୟ କରିବାକୁ ମନ ବଳାଇଲେ। ଅନୁଗୋଳ ସହରରେ ୨ଶହ ଟଙ୍କାରେ ଏକ ଘରଭଡା ନେଇ ବ୍ୟବସାୟ ଆରମ୍ଭ କଲେ। ପରେ ଗାଁ ନିକଟ ବାସନ୍ତୀଙ୍କୁ ବିବାହ କଲେ। ସ୍ତ୍ରୀଙ୍କ ସହଯୋଗ ମିଳିବା ପରେ ତାଙ୍କ ବେପାର ଆଗକୁ ବଢ଼ିଲା। ଏମିତିରେ ୩୦ ବର୍ଷ ବିତିଗଲାଣି। ବଡ଼ ପୁଅ ବାଦଲ ବନ୍ତଳା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ସାନ ଝିଅ ଗାୟତ୍ରୀ ଦଶମ ପଢ଼ୁଛି। ସକାଳ ୭ଟା ବାଜିବା ମାତ୍ରେ ତାଙ୍କ ଦୋକାନରେ ଭିଡ଼ ବଢ଼ିଯାଉଛି। ଯେତିକି ଲୋକ ଖାଇବା ପାଇଁ ଆସୁଛନ୍ତି ତାହାଠାରୁ ଅଧିକ ପାର୍ସଲ ଅର୍ଡର ଦେଉଛନ୍ତି। ଦୁଇ ପ୍ରକାରର ଦହିବରା ସାଙ୍ଗକୁ ଆଳୁଦମ, ଘୁଗୁନି ଓ ହାତ ତିଆରି ମସଲାର ସ୍ବାଦ ଗ୍ରାହକଙ୍କୁ ତାଙ୍କ ଦୋକାନ ପ୍ରତି ଆକର୍ଷିତ କରୁଛି। କଠିନ ପରିଶ୍ରମ ଓ ଦାଦାଙ୍କ ସାହାଯ୍ୟ ପାଇଁ ସେ ଆଜି ସଫଳ ଦହିବରା ବ୍ୟବସାୟୀ ହୋଇପାରିଥିବା ଦୟାନିଧି ପ୍ରକାଶ କରିଛନ୍ତି।