ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କ : ଜାତିସଂଘରେ ଆଶଙ୍କା ବ୍ୟକ୍ତ କଲା ଭାରତ

ଜାତିସଂଘ,୧୧ା୭(ପି.ଟି.): ପାକିସ୍ତାନରେ ରହୁଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କରେ ପରିଣତ ହୋଇଛି। ଡି-କମ୍ପାନୀ, ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା ଭାରତ ପାଇଁ ପ୍ରକୃତ ବିପଦ ବୋଲି ନୂଆଦିଲ୍ଲୀ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଅଭିଯୋଗ କରିଛି। ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଉପରେ ନଜର ରଖିବା ଲାଗି ଭାରତ ୟୁଏନ୍‌ଏସ୍‌ସିକୁ ଅନୁରୋଧ କରିଛି।
ପାଣ୍ଠି ଯୋଗାଡ ଲାଗି ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡିକ ପ୍ରାକୃତିକ ସମ୍ପଦର ବ୍ୟବସାୟ, ମାନବ ଚାଲାଣ ଭଳି ଲାଭପ୍ରଦ ଅପରାଧ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ହେଉଛନ୍ତି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ ଆକବରୁଦ୍ଦିନ କହିଛନ୍ତି। ସେ କହିଛନ୍ତି ଅପରାଧ ସଂଗଠନଗୁଡିକ ଆତଙ୍କବାଦୀଙ୍କ ସହ ହାତମିଳାଇ ସେମାନଙ୍କୁ ଜାଲିଆତି, ବେଆଇନ ପାଣ୍ଠି ଯୋଗାଣ, ଅସ୍ତ୍ରଶସ୍ତ୍ର ବ୍ୟବସାୟ, ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ସୀମାପାର ଚୋରାବେପାରରେ ସହାୟତା କରୁଛନ୍ତି ବୋଲି ‘ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ: ଅନ୍ତର୍ଜାତୀୟ ଆତଙ୍କବାଦ ଓ ସଂଗଠିତ ଅପରାଧ ମଧ୍ୟରେ ସମ୍ପର୍କ’ ଶୀର୍ଷକ ଆଲୋଚନାରେ ଭାଗନେଇ ଆକବରୁଦ୍ଦିନ କହିଛନ୍ତି।

Share