ଦଶହରାରେ ବିଦ୍ୟୁତ୍‌ ବିଭ୍ରାଟ: ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛ କାଟି ପକାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ଦୁର୍ବୃତ୍ତମାନେ ବିରାଟ ଗଛ କାଟି ପକାଇଛନ୍ତି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ବହୁ ସମୟ ଧରି ଅନ୍ଧାରରେ ରହିଛନ୍ତି । ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡାଗୁଡ଼ା, ଗୁମିକିଆ, ବାଲିଗୁଡ଼ାର ରୁତୁଙ୍ଗିଆ, କୋଟଗଡ଼ର ପକାରୀ ଆଦି ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ତେବେ ଦଶହରା ଥିବାରୁ ବିଭିନ୍ନ ଖଳ ପ୍ରକୃତିର ଲୋକ ବିଦ୍ୟୁତ ତାର ଉପରେ ଗଛ କାଟି ପକାଉଥିବା ଅଞ୍ଚଳବାସୀ କହିଛନ୍ତି। ଏ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଦୁର୍ବୃତ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।