ଦଶନ୍ଧିର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ୍‌

ନୂଆଦିଲ୍ଲୀ: ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନଙ୍କ ପାଇଁ ୨୦୧୯ ଅନେକ ସଫଳତା ଆଣିଦେଇଛି। ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ଓ୍ବାର୍‌’ ବକ୍ସ-ଅଫିସ୍‌ରେ ସୁପର୍‌ହିଟ୍‌ ହେବା ପରେ ବର୍ଷ ଶେଷରେ ହ୍ରିତିକ୍‌ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ମିଳିଲା ଆଉ ଏକ ଖୁସି ଖବର। ‘ସେକ୍ସିଏଷ୍ଟ ଏସିଆନ୍‌ ମେଲ୍‌ ଅଫ୍‌ ୨୦୧୯’ ଭାବେ ମନୋନୀତ ହୋଇଛନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌। ବୁଧବାର ଲଣ୍ଡନରେ ଜାରି କରାଯାଇଥିବା ଏକ ଅନ୍‌ଲାଇନ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାର ତଥା ଦଶନ୍ଧିର ସବୁଠାରୁ ସେକ୍ସି ଏସିଆନ୍‌ ପୁରୁଷଭାବେ ହ୍ରିତିକ୍‌ଙ୍କୁ ଚୟନ କରାଯାଇଛି। ବ୍ରିଟିଶ୍‌ ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଟ ଆଏ’ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ସାରା ଦୁନିଆରୁ ପ୍ରଶଂସକଙ୍କ ଭୋଟ୍‌, ମତାମତ, ସୋସିଆଲ ମିଡିଆରେ ଚର୍ଚ୍ଚା ଓ ବର୍ଷ ତମାମ ରହିଥିବା ବ୍ୟକ୍ତିତ୍ୱର ପ୍ରଭାବକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ହ୍ରିତିକ୍‌ଙ୍କୁ ଦୁଇ ଦୁଇଟି ସଫଳତା ମିଳିଛି। ସେ କେବଳ ୨୦୧୯ ମସିହା ଲାଗି ନୁହେଁ ବରଂ ଗତ ଦଶ ବର୍ଷ ସମୟକାଳ ପାଇଁ ଉଦ୍ଦିଷ୍ଟ ଏହି ସର୍ଭେରେ ଶୀର୍ଷ ରେକିଂ ହାସଲ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଦଶକର ସବୁଠାରୁ ସେକ୍ସି ପୁରୁଷ ଭାବେ ମାନ୍ୟତା ପାଇବା ପରେ ହ୍ରିତିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁମାନେ ମୋତେ ଯୋଗ୍ୟ ଭାବି ଭୋଟ ଦେଲେ, ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ତେବେ ମୁଁ କାହାର ଲୁକ୍‌ ଦେଖି ତାଙ୍କୁୁ ଜଜ୍‌ କରେନାହିଁ। ଏଣୁ ମୁଁ ନିଜ ଲୁକ୍‌ ଉପରେ ମଧ୍ୟ କେବେ ଧ୍ୟାନ ଦେଇନାହିଁ। କୌଣସି ମଣିଷର ଜୀବନର କାହାଣୀ, ଯାତ୍ରା ଏବଂ ଘଟଣାକୁ ଦେଖିବା ବା ବୁଝିବା ଶୈଳୀ ମୋତେ ଆକର୍ଷିତ କରିଥାଏ ବୋଲି ହ୍ରିତିକ୍‌ କହିଛନ୍ତି। ଅନ୍ୟପଟେ, ବଲିଉଡ୍‌ ଷ୍ଟାର୍‌ ଶାହୀଦ୍‌ କପୁର ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟିଭି ଆକ୍ଟର ଭିଭିୟାନ୍‌ ଡି’ସେନା ତୃତୀୟ, ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ଚତୁର୍ଥ ଏବଂ ବ୍ରିଟିଶ୍‌ ଏସିଆଇ ପପ୍‌ ଷ୍ଟାର୍‌ ଜାଇନ୍‌ ମଲିକ ସେକ୍ସିଏଷ୍ଟ ଏସିଆନ୍‌ ମେଲ୍‌ ଅଫ୍‌ ୨୦୧୯’ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।

Share