ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ ରାଜସ୍ଥାନର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ କଂଗ୍ରେସ କର୍ମୀଙ୍କ ପାର୍ଟି ପ୍ରେମ ଦେଖିବାକୁ ମିଳିଛି। କାରଣ ସେ ତାଙ୍କ ପୁଅର ନାଁ ପାର୍ଟିର ନାମ ଅନୁଯାୟୀ କଂଗ୍ରେସ ରଖିଥିବା ଜଣାପଡିଛି। ରାଜସ୍ଥାନ ଉଦୟପୁର ନିବାସୀ ବିନୋଦ ଜୈନ ଜଣେ କଂଗ୍ରେସ କର୍ମୀ। ବହୁବର୍ଷ ଧରି ତାଙ୍କ ପରିବାର କଂଗ୍ରେସ ଦଳସହ ଯୋଡି ହୋଇ ରହିଛନ୍ତି। ଆଉ ତାଙ୍କର ଦଳକୁ ଭଲପାଇବା ଏବେ ମାତ୍ରାରେ ରହିଛି ଯେ ସେ ତାଙ୍କ ପୁଅର ନାମ କଂଗ୍ରେସ ରଖିବା ପରେ ଏହା ସ୍ପଷ୍ଟ ବାରି ହୋଇପଡିଛି। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କେହି ତାଙ୍କୁ ଥଟ୍ଟାମଜା ବି କରୁଛନ୍ତି। ବିନୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମିଡିଆ ବିଭାଗରେ କାମ କରୁଛନ୍ତି। ତାଙ୍କ ମତରେ ପୁଅର ନାମ କଂଗ୍ରେସ ରଖିବାର ଉଦ୍ଦେଶ୍ୟ ହେଉଛି ଦଳ ପ୍ରତି ତାଙ୍କର ଥିବା ନିଷ୍ଠା ଏଥିରୁ ବାରି ହୋଇପଡିବ। ତାଙ୍କ ପୁଅ ଜୁଲାଇ ୨୦୧୯ରେ ଜନ୍ମ ହୋଇଥିବା ବେଳେ ସେ ଯେତେବେଳେ ପୁଅର ନାମ କଂଗ୍ରେସ ଦେଇଥିଲେ ସେତେବେଳେ ତାଙ୍କ ଘର ଲୋକ ଏଥିରେ ରାଜି ହୋଇ ନ ଥିଲେ। ହେଲେ ସେ ଦଳପ୍ରତି ଥିବା ନିଷ୍ଠାକୁ ପ୍ରଦର୍ଶିତ କରିବାକୁ ପୁଅର ନାମ କଂଗ୍ରେସ ଜୈନ ରଖିଛନ୍ତି। ପୁଅ ୧୮ ବର୍ଷର ହେବା ପରେ କଂଗ୍ରେସ ପାଇଁ ନିଷ୍ଠାର ସହ କାମ କରିବ ବୋଲି ସେ କହିଛନ୍ତି। ତାଙ୍କ ପରିବାରର ସମସ୍ତ ସଦସ୍ୟ କଂଗ୍ରେସ ସହ ଯୋଡି ହୋଇ ଥିବାରୁ ବିନୋଦ ବି ଛାତ୍ର କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ ଥିଲେ। ଏବେ ସେ ଗେହଲଟଙ୍କ ଡିଜିଡାଲ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ସୋସିଆଲ ମିଡିଆରେ ଦଳର ପ୍ରଚାର କରୁଥିବା ପ୍ରକାଶ କରିଛନ୍ତି।

Share