ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଥିଲା। ପରବର୍ତ୍ତୀ ୩ଟି ପର୍ଯ୍ୟାୟକୁ ମିଶାଇ ମୋଟ ୨୦ ଲକ୍ଷ ୪୫ ହଜାର କୁଇଣ୍ଟାଲ ଧାନକିଣା ଲକ୍ଷ୍ୟ ରହିଥିଲା। କିନ୍ତୁ ଧାନ କିଣା ପରେ ଗତ ଫେବୃୟାରୀ ୬ରେ ହଠାତ ମଣ୍ଡି ବନ୍ଦ କରାଯାଇଥିଲା। ସେଯାବତ୍‌ ଜିଲାରେ ୨୬,୦୦୫ ଜଣ ପଞ୍ଜିକୃତ ଚାଷୀଙ୍କ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୨୩,୪୪୧ ଜଣ ଚାଷୀଙ୍କ ୨୦ ଲକ୍ଷ ୯ ହଜାର ୬୨୪ କୁଇଣ୍ଟାଲ ୪୧ କିଲୋଗ୍ରାମ ଧାନ କିଣାଯାଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡି ବନ୍ଦ ହେବା ଯୋଗୁ କିଣାଯାଇ ପାରି ନ ଥିଲା। ଅନ୍ୟପକ୍ଷରେ କାଁ ଭାଁ ଚାଷୀଙ୍କ ଧାନ ରହିଥିବା ବେଳେ ଅଧିକାଂଶଙ୍କ ଧାନ ବିକ୍ରି ହୋଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲ ଧାନକିଣା ପାଇଁ ପ୍ରଶାସନ ମଣ୍ଡି ଖୋଲିଥିଲେ। କିନ୍ତୁ ଆଶାନୁସାରେ ଚାଷୀଙ୍କ ଅମଳଧାନ ମଣ୍ଡିକୁ ବିକ୍ରି ପାଇଁ ଆସୁ ନ ଥିଲା। ତେଣୁ ପ୍ରଶାସନ ଓ କ୍ରୟକାରୀ ସଂସ୍ଥାର ରିପୋର୍ଟ ଯାଞ୍ଚ ପରେ ସରକାର ମଣ୍ଡିରେ ଧାନକିଣା ବନ୍ଦ କରିଥିଲେ। ଏବେ ପୁନର୍ବାର ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହେଲେ ପ୍ରକୃତ ଚାଷୀଙ୍କ ବଦଳରେ ଦଲାଲ ଓ ବ୍ୟବସାୟୀଙ୍କ ଧାନ ବିକ୍ରି ହେବାର ଆଶଙ୍କା ଅଧିକ ରହିଛି। କିଛି ମଣ୍ଡି କମିଟିର ସଭାପତି ଭାବେ ମନୋନୀତ ଚାଷୀମାନେ ମଧ୍ୟ ନାମ ପ୍ରକାଶ ନ କରିବା ସର୍ତ୍ତରେ ପୁନର୍ବାର ମଣ୍ଡି ଖୋଲିବା ସହ ଚାଷୀଙ୍କ ନାମରେ ଧାନ ବିକ୍ରି କରିବାକୁ ଦଲାଲ ଓ ବେପାରୀ ମସୁଧା କରୁଥିବା ଅଭିଯୋଗ କରିଛନ୍ତି। ବିଧାନସଭାରେ ବିଧାୟକମାନେ ଚାଷୀ ଧାନ ବଳି ପଡ଼ିଥିବା ଦାବି କରିବା ପରେ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ୨୯ ତାରିଖରେ ଜିଲାସ୍ତରୀୟ ପ୍ରୋକ୍ୟୁରମେଣ୍ଟ କମିଟି (ଡିଏଲ୍‌ପିସି) ବୈଠକ ପୁନର୍ବାର କରିବା ପାଇଁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କ ଧାନ ବିକ୍ରି ନ ହୋଇ ମଣ୍ଡିରେ ମହଜୁଦ ରହିଛି କି ନା, ମିଲ ମାଲିକ ମଣ୍ଡିରେ ଠିକ୍‌ ସମୟରେ ଉପସ୍ଥିତ ରହୁଛନ୍ତି କି ନା, କେଉଁ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଅଧିକ ଧାନ ରହିଛି, ସେ ସବୁର ତଦାରଖ କରାଯିବ। ଏନେଇ ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି, ଜିଲାରେ ପ୍ରକୃତରେ ଚାଷୀଙ୍କ ଧାନ ଥିଲେ ସରକାରଙ୍କ ନିୟମ ଓ ନିର୍ଦ୍ଦେଶ ଅନୁଯାୟୀ ମଣ୍ଡି ଖୋଲାଯାଇ ଧାନ କିଣାଯିବ।