Categories: ମେଟ୍ରୋ

ଦରମା ନ ପାଇ ଭିକ୍ଷା ମାଗିଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଶିକ୍ଷାର ଆଲୋକ ଦେଖାଇ ପିଲାଙ୍କ ଭବିଷ୍ୟତ ଗଢୁଥିବା ଜଣେ ଶିକ୍ଷୟିତ୍ରୀ ଗୁରୁବାର ରାଜଧାନୀର ରାସ୍ତାରେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଥିଲା। ସେ ହେଲେ ଅନୁଗୋଳ ମ୍ୟୁନିସିପାଲିଟି ସ୍କୁଲ ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ। ଅନୁପମା ଅଢେଇ ବର୍ଷ ହେବ ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛନ୍ତି। ଅନୁପମାଙ୍କ କହିବା ଅନୁଯାୟୀ, ୩୩ ବର୍ଷ ଚାକିରି ମଧ୍ୟରେ ୧୯ଥର ବଦଳି ହେବା ସହ ୩ ଥର ନିଲମ୍ବନ ହୋଇଛନ୍ତି। ୨୦୧୮ ନଭେମ୍ବରରେ ତାଙ୍କ ସମସ୍ୟା ନେଇ ନବୀନ ନିବାସ ଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଏବଂ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଚାକିରି ଆଉ ଅଳ୍ପ ଦିନ ଥିବାରୁ ଦରମା ନ ପାଇ ପରିବାର ବହୁ କଷ୍ଟରେ ଚଳୁଛି। ପରିବାର ଚଳାଇବା ପାଇଁ ଏଭଳି ରାସ୍ତାରେ ଭିକ ମାଗୁଥିବା କହୁଥିଲେ। ମହିଳା ଜଣଙ୍କ କାନ୍ଦି କାନ୍ଦି ଅଚେତ ହୋଇଯିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ।