ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହତ ଦମ୍ପତି ତଥା ଗ୍ରାମର ଅମିତ ବଡସେଟ ଏବଂ ତାଙ୍କ ସ୍ତ୍ରୀ ହେମନ୍ତି ଫୁଲବାଣୀ ମେଡିକାଲରେ ଭର୍ର୍ତ୍ତିି ହୋଇଛନ୍ତି। ଘଟଣା ସମ୍ପର୍କରେ ହେମନ୍ତି ସୋମବାର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଅମିତ ଏବଂ ହେମନ୍ତି ନିଜ ଘର ପାଖରେ କାମ କରୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସିଆରଫିଏଫ୍‌ର ଯବାନ ଆସି ଅମିତ କିଏ ବୋଲି ପଚାରିଥିଲେ ା ଅମିତ ନିଜ ପରିଚୟ ଦେବାରୁ କୌଣସି କାରଣ ନ ଜଣାଇ ହଠାତ ତାଙ୍କୁ ମାଡମରା ଯାଇଥିଲା। ପ୍ରତିରୋଧ କରିବାରୁ ହେମନ୍ତିଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅମିତ କହିଛନ୍ତି ଯେ, ଜାଗାବାଡିକୁ ନେଇ ଗ୍ରାମର କେତେଜଣଙ୍କ ସହ ତାଙ୍କର ମତାନ୍ତର ରହିଛି। ସେମାନେ ଗ୍ରାମରେ ଏକ ବୈଠକ କରି ସିଆରପିଏଫ୍‌ ଯବାନଙ୍କ ଦ୍ୱାରା ଏପରି କରିଛନ୍ତି। ମାଡ ମାରିବା ପରେ କ୍ୟାମ୍ପରେ ଯାଇ ଦେଖା କରିବାକୁ ଯବାନମାନେ କହିଥିଲେ। ଘଟଣା ସମ୍ପର୍କରେ ଏସ୍‌ପିଙ୍କୁ ଅଭିଯୋଗ କରିଛୁ ା ବାଲିଗୁଡା ଏସ୍‌ଡିପିଓଙ୍କୁ ଦେଖା କରିବାକୁ ଏସ୍‌ପି କହିଥିବା ଅମିତ ସୂଚନା ଦେଇଛନ୍ତି।