ଦମ୍ପତିଙ୍କୁ ମାଡ଼ ମାରି ଲୁଟ୍‌

ଧର୍ମଶାଳା,୫ା୮(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଣ୍ଡୁଆ ମୌଜାରେ ରାମଚନ୍ଦ୍ର ପ୍ରଧାନଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ସହ ସ୍ତ୍ରୀଙ୍କୁ ମାଡ଼ ମାରି ଗଡ଼ରେଜରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ପଳାଇଥିବା ଗ୍ରାମବାସୀ କହିଛନ୍ତି। ରବିବାର ସକାଳେ ଖବର ପାଇ ଏସ୍‌ଡିପିଓ କେଦାରନାଥ ସାହୁ ଓ ଧର୍ମଶାଳା ଆଇଆଇସି ସରୋଜ କୁମାର ସାହୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବା ଜଣାପଡିଛି। ପ୍ରକାଶ ଯେ, ସିଂହାପୁର ଗ୍ରାମର ରାମଚନ୍ଦ୍ର ସ୍ତ୍ରୀଙ୍କ ସହ ଜାରକା ନିକଟସ୍ଥ ପଣ୍ଡୁଆ ମୌଜାରେ ଘର କରି ରହୁଛନ୍ତି। ଝିଅପୁଅ ବାହାରେ ରହୁଥିବାରୁ ଅଧିକାଂଶ ସମୟରେ ସେମାନେ ଘରେ ଏକା ରହିଥାନ୍ତି। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ ଡକାୟତ ଶିଡ଼ିଘର କବାଟ ଭାଙ୍ଗି ଘରେ ପଶିଥିଲେ। ଏହି ସମୟରେ ରାମଚନ୍ଦ୍ର ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କ ସ୍ତ୍ରୀ ପିନ୍ଧିଥିବା କାନଫୁଲ ଛିଣ୍ଡାଇ ନେଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ବାବଦରେ ଝିଅ ଜାଣିବା ପରେ ପାଖ ପଡୋଶୀଙ୍କୁ ବାପା ଓ ମା’ ଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ। ପରେ କିଛିଲୋକ ଘଟଣାସ୍ଥଳରେ ପହଞ୍ଚତ୍ ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଗ୍ରାମବାସୀ କହିଛନ୍ତି। ସେଠାରେ ଝିଅ ଓ ଜ୍ୱାଇଁ ପହଞ୍ଚତ୍ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିବା ଜଣାପଡିଛି।