ଦବିଲା ପରମହଂଶ ନିକଟ ମାଛଗାଁ କେନାଲ ବନ୍ଧ: ମରାମତି କାର୍ଯ୍ୟ ଆରମ୍ଭ

କଟକ ସଦର, ୧୯।୮(ଡି.ଏନ୍‌.ଏ.): କଟକ ମାଛଗାଁ କେନାଲର ପରମହଂସ ନିକଟ ବାମପାର୍ଶ୍ୱ ବନ୍ଧଟି ସୋମବାର ରାତିରେ ହଠାତ୍‌ ଦବିଯାଇଥିଲା। ଫଳରେ ଜଗତ୍‌ସିଂହପୁର ଜଳ ସେଚନ ଡିଭିଜନର ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ବିରିବାଟୀ ଲକ୍‌ ନିକଟରେ ଜଳ ପ୍ରବାହକୁ ହ୍ରାସ କରିଥିଲେ। ତେଣୁ ବନ୍ଧଟି ଆସନ୍ନ ଘାଇ ହେବାରୁ ରକ୍ଷା ପାଇଯାଇଛି। ଏହି ଦବିବା ସ୍ଥାନରେ ଏକ ଆଉଟ୍‌ଲେଟ୍‌(ଶୋଠ) ରହିଛି। ଏହି ଶୋଠଟିକୁ ମାଛ ଧରାଳୀମାନେ ପଥର ଦ୍ୱାରା ଭାଙ୍ଗିଦେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ମଙ୍ଗଳବାର ସକାଳେ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ସହକାରୀ ନିର୍ବାହୀ ଦଳପତି ମଣ୍ଡଳ, ସହକାରୀ ଯନ୍ତ୍ରୀ ସୁବୋଧ ଚନ୍ଦ୍ର ମହାପାତ୍ର ପ୍ରମୁଖ ବନ୍ଧ ନିକଟରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ମାଛଗାଁ କେନାଲରେ ୧୨୦୦ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ବନ୍ଧ ସୁରକ୍ଷା ଦୃଷ୍ଟିରୁ ଏହାକୁ ୬୦୦ କ୍ୟୁସେକକୁ ହ୍ରାସ କରାଯାଇଛି।