ଦନ୍ତା ହାତୀ ନେଲା ୨ ଜୀବନମୋଟଙ୍ଗାରେ ବୃଦ୍ଧ, ଛେଣ୍ଡିପଦାରେ ବୃଦ୍ଧାଙ୍କୁ ମାରିଲା

ଢେଙ୍କାନାଳ ଅଫିସ,୨୦ା୫- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ହିନ୍ଦୋଳରୋଡ ଫାଣ୍ଡିର ଗୁଣୁଦେଇ ଗ୍ରାମରେ ସୋମବାର ସକାଳ ସାଢେ ୬ଟାରେ ହାତୀ ଆକ୍ରମଣରେ ମଙ୍ଗରାଜ ପାତ୍ର(୬୫)ଙ୍କ ମୃତ୍ୟୁ ହୋଇଛି। ମଙ୍ଗରାଜ ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ଅଞ୍ଚଳବାସୀ ଗୁଣୁଦେଇ ଛକଠାରେ ମୃତଦେହ ରଖି ପୂର୍ବାହ୍ନ ୮ଟାରୁ ୧୦ଟା ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଖବରପାଇ ଓଡାପଡା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ମୋଟଙ୍ଗା ଥାନା ଅଧିକାରୀ ନମିତା ନାୟକ, ସଦର ରେଞ୍ଜର ମନୱର ଖାଁ, ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ବନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ରେଡକ୍ରସ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏ ସଂକ୍ରାନ୍ତରେ ମୋଟଙ୍ଗା ଥାନାରେ ନଂ. ୨ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ମଙ୍ଗରାଜ ସ୍ଥାନୀୟ ହାଇସ୍କୁଲର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡିଛି। ଆକ୍ରମଣ କରିଥିବା ଦନ୍ତାହାତୀଟି ଏଥିପୂର୍ବରୁ ତାଳଚେରରେ ୫ଜଣଙ୍କୁ ମାରିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବହୁ ଲୋକଙ୍କ ଜୀବନ ନେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଉକ୍ତ ଦନ୍ତାହାତୀ ୨୦ଦିନ ହେଲା ଉକ୍ତ ଅଞ୍ଚଳରେ ବୁଲୁଛି। ସକାଳେ ମଧ୍ୟ କିଛି ଲୋକଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବନବିଭାଗ ପକ୍ଷରୁ ସେଠାରେ ନଜର ରଖାଯାଇଛି।