ଦନ୍ତାକୁ ନେଇ କମୁନି ଚିନ୍ତା

ଢେଙ୍କାନାଳ ଅଫିସ, ୨୫।୧

ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନାକୁ ଅଣାଯିବା ପରେ ଅଡୁଆରେ ପଡ଼ିଛି ବନ ବିଭାଗ। ହାତୀ ଆୟତ୍ତ ବାହାରକୁ ଚାଲିଯାଉଛି। କାଳେ ଦନ୍ତା ଲୁହା ଚେନ୍‌ ଛିଣ୍ଡାଇ ଦର୍ଶକଙ୍କ ପାଇଁ ବିପଦ ସୃଷ୍ଟି କରିବ ସେଥିପାଇଁ ଜୁ’ ପରିସରରେ ହାତୀ ରହୁଥିବା ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଇଛି। ଏହାପରେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ବନ କର୍ମଚାରୀ। ଅନ୍ୟପଟେ ହାତୀର ଉଗ୍ର ସ୍ବାଭାବକୁ ଶାନ୍ତ କରିବାକୁ ବାରମ୍ବାର ନିଶ୍ଚେତକ ଦିଆଯାଉଛି, ଯାହା ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଛି।
ଉକ୍ତ ନରହନ୍ତା ଦନ୍ତାର ଆନୁମାନିକ ବୟସ ୨୫ବର୍ଷ ହେବ। ତାଳଚେରରୁ ଅଣାଯିବା ପରେ ହାତୀକୁ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟର ପରିସରରେ ଥିବା ଏକ ଖୋଲା ମଣ୍ଡପରେ ଚାରିଗୋଡ଼କୁ ଶିକୁଳିରେ ବାନ୍ଧି ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ମଣ୍ଡପ ଚାରିପଟେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଟ୍ରେଞ୍ଚ୍‌ ଖୋଳା କାର୍ଯ୍ୟ ସରିଛି। ଏହାର ଓସାର ୧୦ ଫୁଟ ଏବଂ ଗଭୀର ୭ ଫୁଟ। ଟ୍ରେଞ୍ଚ୍‌ ଖୋଳା ସରିବା ପରେ ଶୁକ୍ରବାରଠାରୁ ଦର୍ଶକଙ୍କ ପାଇଁ ପୁଣିଥରେ ଚିଡ଼ିଆଖାନା ଖୋଲାଯାଇଛି। ହାତୀଟି ସକାଳେ ସ୍ବାଭାବିକ ଭାବେ କଦଳୀ, ବରଗଛ ସହ ଅନ୍ୟ ଗଛର ଡାଳପତ୍ର ଖାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀକୁ ତାଳଚେରରୁ କପିଳାସ ଆଣିବା ଯାଏ ଅନେକ ଥର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ନିସ୍ତେଜ ହେବା ପାଇଁ ତୁହାକୁ ତୁହା ଇଞ୍ଜେକ୍ସନ ଦିଆଯାଉଛି। ଏହାର ପ୍ରତିକୂଳ ପ୍ରଭାବ ଯେପରି ଦନ୍ତା ଉପରେ ନ ପଡ଼େ ସେଥିଲାଗି ସାତକୋଶିଆରୁ ଚିକିତ୍ସକ ଦଳ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ା
ଏ ସଂକ୍ରାନ୍ତରେ ସାତକୋଶିଆରୁ ଆସିଥିବା ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ଚନ୍ଦ୍ର ସାହୁ କୁହନ୍ତି, ହାତୀର ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। ଜଣେ ମାନସିକ ରୋଗୀଙ୍କୁ ଯେପରି ଚିକିତ୍ସା କରାଯାଏ ସେହିପରି ହାତୀର ଚିକିତ୍ସା ଚାଲିଛି। ପ୍ରଥମେ ତାକୁ ଟ୍ରାଙ୍କୁଲାଇଜେଶନ କରାଯାଇଥିଲା। ପରେ ଉଗ୍ର ପ୍ରକୃତିକୁ ଶାନ୍ତ କରିବା ତଥା ତାକୁ ନିସ୍ତେଜ କରିବା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ଏବେ ହାତୀର ସ୍ବଭାବ ଶାନ୍ତ ପଡ଼ିବାରେ ଲାଗିଛି। ଦନ୍ତା ସମ୍ପୂର୍ଣ୍ଣ ଠିକ୍‌ ହେବା ପାଇଁ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଚିଡ଼ିଆଖାନା ଖୋଲିବା ପରେ କେତେଜଣ ପର୍ଯ୍ୟଟକ ହାତୀଟିକୁ ଦେଖିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ହେଲେ ସୁରକ୍ଷା କାରଣରୁ ସେମାନଙ୍କୁ ବାରଣ କରାଯାଇଥିବା ଜଣାପଡ଼ିଛି ା