Categories: ଖେଳ

ଦକ୍ଷିଣ ଆଫ୍ରିକା ଦଳରୁ ପଦାର୍ପଣ କଲେ ଭାରତୀୟ ବଂଶୋଦ୍ଭବ

ବିଶାଖାପାଟଣା,୨।୧୦(ପିଟି): ଭାରତୀୟ ବଂଶୋଦ୍ଭବ ସେନୁରାନ ମୁଥୁସ୍ବାମୀ ବୁଧବାର ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ସ୍ବପ୍ନ ପୂରା କରିଛନ୍ତି। ୨୫ ବର୍ଷ ତଳେ ବ୍ୟାଟିଂ ଅଲରାଉଣ୍ଡରଙ୍କ ପରିବାର ତାମିଲନାଡୁ ଛାଡ଼ି ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲା। ଡର୍ବାନ ଖେଳାଳି ଭାରତୀୟ ଦଳ ପାଇଁ ଅଜଣା ନୁହନ୍ତି। ସେ ଗତ ବର୍ଷ ଦକ୍ଷିଣ ଆଫ୍ରିକା ଏ’ ଦଳ ସହ ଭାରତ ଆସିଥିଲେ। ଆମେ ପ୍ରକୃତରେ ଚେନ୍ନାଇ ବାସିନ୍ଦା। ମୋ ପରିବାର ଏବେ ମଧ୍ୟ ନାଗାପାଟ୍ଟିନାମ (ଚେନ୍ନାଇଠାରୁ ୩୦୦ କି.ମି. ଦୂର)ରେ ରହୁଛନ୍ତି। ବହୁ ବର୍ଷ ତଳେ ଆମେ ତାମିଲନାଡୁ ଛାଡ଼ି ଯାଇଥିଲୁ। ହେଲେ ଆମେ ଏବେ ମଧ୍ୟ ଦକ୍ଷିଣ ଭାରତୀୟ ପରମ୍ପର ମାନୁଛୁ। ଆମ ଘରେ କିଛି ଲୋକ ତାମିଲ ଭାଷାରେ କଥା ହେଉଛନ୍ତି। ଦୁର୍ଭାଗ୍ୟବଶତଃ ମୁଁ ଧୀରେ ଧୀରେ ଏହି ଭାଷା ଶିକ୍ଷା କରୁଛି ବୋଲି ମୁଥୁସ୍ବାମୀ କହିଛନ୍ତି। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା ଦଳରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ ସ୍ଥାନ ପାଇଛନ୍ତି। ଏଠାକାର ପିଚ୍‌ ଡ୍ରାଏ ଥିବାରୁ ଭ୍ରମଣକାରୀ ଦଳର ଅଧିନାୟକ ଫାଫ ଡୁପ୍ଲେସି ଦଳରେ ଦୁଇ ସ୍ପିନର ସହ ଜଣେ କାମଚଳା ସ୍ପିନର ରଖିବାକୁ ନିଷ୍ପତ୍ତି ନେଇଥିଲେ। ମୁଥୁସ୍ବାମୀ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୨.୭୧ ଆଭରେଜରେ ୩୪୦୩ ରନ୍‌ କରିବା ସହ ୧୨୯ ଉଇକେଟ ନେଇଛନ୍ତି।

Share