Categories: ଖେଳ

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ଗତ ୧୩ରେ ଅଭିଜ୍ଞ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଥିଲା। ତେବେ ଏହି ଦଳରେ ସ୍ଥାନ ପାଇଥିବା ନବାଗତ ଉଇକେଟ୍‌କିପର ରୁଡି ସେକେଣ୍ଡଙ୍କୁ ଆଘାତଜନିତ ସମସ୍ୟା ଲାଗି ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟତମ ଉଇକେଟ୍‌କିପର ହେନ୍‌ରିକ କ୍ଲାସେନଙ୍କୁ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ରବିବାର କୁହାଯାଇଛି। କ୍ଲାସେନ ପୂର୍ବରୁ ଜାତୀୟ ଦଳ ପକ୍ଷରୁ ୧୪ ଦିନିକିଆ ଓ ୯ ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି।
ଆଫ୍ରିକା-ଏ ଦଳ ପକ୍ଷରୁ ଅଭ୍ୟାସ କରୁଥିବାବେଳେ ସେକେଣ୍ଡ ଆଘାତପ୍ରାପ୍ତ ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କୁ ପୁରା ଟୁର୍‌ରୁ ବାଦ୍‌ ଦିଆଯାଇଛି ବୋଲି ଜଣାପଡ଼ିଛି। ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଲେଖାଏ ଟି୨୦ ଓ ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨ରୁ ବିଶାଖାପାଟନମଠାରେ ଆରମ୍ଭ ହେବ। ତେବେ ୨ୟ ଓ ୩ୟ ଟେଷ୍ଟ ମ୍ୟାଚ୍‌ର ଭେନ୍ୟୁରେ ଅଦଳବଦଳ ହୋଇଥିବା ସିଏସ୍‌ଏ ପକ୍ଷରୁ ଜଣାପଡ଼ିଛି। ଦ୍ୱିତୀୟ ଟେଷ୍ଟ ଏବେ ପୁନେଠାରେ ଅକ୍ଟୋବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ସେହିଭଳି ଅନ୍ତିମ ତଥା ୩ୟ ମ୍ୟାଚ୍‌ ଅକ୍ଟୋବର ୧୯ରୁ ୨୩ ପର୍ଯ୍ୟନ୍ତ ରାଞ୍ଚତ୍ଠାରେ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ସେପ୍ଟେମ୍ବର ୧୫ରୁ ୨୨ ମଧ୍ୟରେ ଖେଳାଯିବ। ସେହିଭଳି ଏହି ସମୟରେ ଦକ୍ଷିଣ ଆଫ୍ରିକା-ଏ ଦଳ ଭାରତ ଗସ୍ତରେ ଆସି ଭାରତ-ଏ ବିପକ୍ଷରେ ୫ଟି ଏକଦିବସୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।

Share