Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କଥା ଦେଇନାହୁଁ: ଧୂମଲ

ନୂଆଦିଲ୍ଲୀ,୨୨।୫(ପି.ଟି.): ଆସନ୍ତା ଅଗଷ୍ଟରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି କଥା ଦେଇନାହୁଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ କୁମାର ଧୂମଲ କହିଛନ୍ତି। ଏହି କ୍ରମରେ ଗସ୍ତ ନେଇ ଦକ୍ଷିଣ ଆଫ୍ରିକା କରିଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି।
ପୂର୍ବରୁ ଅଗଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସି ଏକ ଟି୨୦ ସିରିଜ ଖେଳବ ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ନିର୍ଦ୍ଦେଶକ ଜ୍ୟାକ କାଲିସ ଗୁରୁବାର ଘୋଷଣା କରିଥିଲେ। ତେବେ ଏହାକୁ ଧୂମଲ ଅସ୍ବୀକାର କରିଛନ୍ତି। କୋଡିଡ-୧୯ କାରଣରୁ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଅଧାରୁ ବାତିଲ ହୋଇଥିଲା। ସେତେବେଳେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବା ନେଇ ଏକ ଆଲୋଚନା ହୋଇଥିଲା। ତେବେ ଆମେ ଏ ନେଇ କୌଣସି କଥା ଦେଇନାହୁଁ ବୋଲି ଏକ ସାକ୍ଷାତକାର ଦେବା ଅସବରରେ ଧୂମଲ କହିଛନ୍ତି।
ଯେପର୍ଯ୍ୟନ୍ତ ସରକାର ଆମକୁ ଅନୁମତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ବିସିସିଆଇ କୌଣସି ଗସ୍ତ ପାଇଁ କଥା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ଜୁଲାଇରେ ଶ୍ରୀଲଙ୍କା ଓ ପରେ ଜିମ୍ବାଓ୍ବେ ଗସ୍ତ ନେଇ ମଧ୍ୟ ଆମେ କିଛି କହିପାରିବୁ ନାହିଁ ବୋଲି ଧୂମାଲ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଦକ୍ଷିଣ ଆପ୍ରିକା ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆୟୋଜନ କରିବାକୁ ବେଶ୍‌ ବ୍ୟଗ୍ର ହୋଇପଡିଛି। ଏହା ବଦଳରେ ଅକ୍ଟୋବର- ନଭେମ୍ବରରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଦକ୍ଷିଣ ଆଫ୍ରିକା ଭାରତକୁ ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଏଥିପାଇଁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଘଞ୍ଚାଯିବ ଜରୁରୀ। ଇତିମଧ୍ୟରେ ଟି୨୦ ବିଶ୍ୱକପ ଘୁଞ୍ଚିବା ନିଶ୍ଚିତ ହୋଇଛି। ତେବେ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟକୁ ଘୁଞ୍ଚାଇବା ନେଇ ଭାରତର କୌଣସି ଭୂମିକା ନାହିଁ ବୋଲି ଧୂମଲ ସ୍ପଷ୍ଟ କରିଛନ୍ତି। ଆଗାମୀ କିଛି ଦିନି ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Share