Categories: ଖେଳ

ଦକ୍ଷିଣ ଆଫ୍ରିକା ‘ଏ’ ୩୬ ରନରେ ପରାସ୍ତ: ଭାରତ‘ଏ’ ୪-୧ରେ ସିରିଜ ଜିତିଲା

ଥିରୁଭାନନ୍ତପୁରମ, ୬।୯(ପି.ଟି.): ଶୁକ୍ରବାର ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଅନଅଫିସିଆଲ ଏକଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ‘ଏ’ ୩୬ ରନରେ ଦକ୍ଷିଣ ଆଫ୍ରିକା ‘ଏ’କୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୪-୧ରେ ବିଜୟୀ ହୋଇଛି। ସ୍ଥାନୀୟ ହିରୋ ସଞ୍ଜୁ ସାମସନଙ୍କ ୪୮ ବଲ୍‌ରୁ ଦ୍ରୁତ ୯୧ ରନ ଏବଂ ଶିଖର ଧାଓ୍ବନଙ୍କ ଅର୍ଦ୍ଧଶତକ ଭାରତ ‘ଏ’ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ବର୍ଷା ଯୋଗୁ ମ୍ୟାଚକୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ପ୍ରଶାନ୍ତ ଚୋପ୍ରା(୨) ବିଫଳ ହୋଇଥିଲେ ହେଁ ଧାଓ୍ବନ ଓ ସାମସନ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୩୫ ରନର ଭାଗୀଦାରି ଗଢ଼ି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଧାଓ୍ବନ ୩୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୫୧ ରନ କରିଥିବାବେଳେ ସାମସନ ୪୮ ବଲ୍‌ରୁ ୬ ଚୌକା ଏବଂ ୭ ଛକା ସହ ସର୍ବାଧିକ ୯୧ ରନ ସ୍କୋର କରିଥିଲେ। ଅଧିନାୟକ ଶ୍ରେୟାର ଆୟାର ୩୬ (୧୯ ବଲ, ୫ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିବାରୁ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ କରିଥିଲା। ଦକ୍ଷିଣ ଆଫ୍ରିକା ‘ଏ’ ପକ୍ଷରୁ ବେଉରାନ ହେଣ୍ଡ୍ରିକ୍ସ ଓ ଜର୍ଜ ଲିନ୍‌ଡେ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ‘ଏ’ ପୁରା ୨୦ ଓଭର ଖେଳି ୧୬୮ ରନରେ ଅଲଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ରିଜା ହେଣ୍ଡ୍ରିକ୍ସ ସର୍ବାଧିକ ୫୯ ଏବଂ କାଏଲ ଭେରିନେ ୪୪ ରନ ସ୍କୋର କରିଥିଲେ। ଭାରତ ‘ଏ’ ବୋଲରଙ୍କ ମଧ୍ୟରେ ଶାର୍ଦ୍ଦୁଳ ଠାକୁର ୩ଟି, ଓ୍ବାଶିଂଟନ ସୁନ୍ଦର ୨ଟି ଏବଂ ଇଶାନ ପୋରେଲ, ତୁଷାର ଦେଶପାଣ୍ଡେ, ରାହୁଲ ଚହର ଓ ଶିଭମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ‘ଏ’ ୨୦ ଓଭରରେ ୨୦୪/୪(ସଞ୍ଜୁ ସାମସନ-୯୧, ଶିଖର ଧାଓ୍ବନ-୫୧, ଶ୍ରେୟାସ ଆୟାର-୩୬, ବେଉରନ ହେଣ୍ଡ୍ରିକ୍ସ-୨/୨୯, ଜର୍ଜ ଲିନ୍‌ଡେ-୨/୪୩)। ଦକ୍ଷିଣ ଆଫ୍ରିକା ‘ଏ’ ୨୦ ଓଭରରେ ୧୬୮/ଅଲଆଉଟ(ରିଜା ହେଣ୍ଡ୍ରିକ୍ସ-୫୯, କାଏଲ ଭେରିନେ -୪୪, ଶାର୍ଦ୍ଦୁଳ ଠାକୁର-୩/୯, ଓ୍ବାଶିଂଟନ ସୁନ୍ଦର-୨/୩୯)।

Share