ଦକ୍ଷିଣକାଳୀ ମନ୍ଦିରରୁ ମା’ଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ମହାକାଳପଡ଼ା,୧୮।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଜଗରିଯୋର ହାଟଠାରେ ଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ରାତିରେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ମା’ଙ୍କ ରୁପା ମୁକୁଟ, ସୁନାହାର ଓ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି। ସକାଳେ ଚୋରି ହୋଇଥିବା ମନ୍ଦିର ପୂଜକ ଦେଖି ହାଟ କମିଟିଙ୍କୁ ଜଣାଇଥିଲେ। ଏ ନେଇ ହାଟ କମିଟି ସଭାପତି ଗଗନ ବିହାରୀ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।