ଥୋରାସିସ୍‌ ଏନ୍ୟୁରିଜମ୍‌ର ବିରଳ ଅସ୍ତ୍ରୋପଚାର ଅତ୍ୟଧିକ ଧୂମ୍ରପାନ, ଉଚ୍ଚ ରକ୍ତଚାପ ରୋଗର କାରଣ: ବିଶେଷଜ୍ଞ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଥୋରାସିସ୍‌ ଆଓର୍ଟା ଏନ୍ୟୁରିଜମ୍‌ ଓ କୋରୋନାରୀ ବ୍ଲକ୍‌ ସମସ୍ୟାର ଚିକିତ୍ସା କରାଯାଇଛି। ବିରଳ ଅସ୍ତ୍ରୋପଚାର କରାଯାଇ ଥୋରାସିସ୍‌ ଏନ୍ୟୁରିଜମ୍‌କୁ ବାହାର କରାଯାଇଥିବାବେଳେ ଉକ୍ତ ସ୍ଥାନରେ ସିନ୍ଥେଟିକ୍‌ ଗ୍ରାଫ୍ଟର ପ୍ରତିରୋପଣ କରାଯାଇଛି। ପିଠି ଯନ୍ତ୍ରଣାରେ ପୀଡ଼ିତ ୬୨ ବର୍ଷୀୟ ତ୍ରିଲୋଚନ ଜେନାଙ୍କୁ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାରମ୍ଭିକ ପରୀକ୍ଷଣ ଓ ସିଟିସ୍କାନ ପରେ ତାଙ୍କର ସେଣ୍ଟ୍ରାଲ ଆଓର୍ଟା ବା ହୃଦୟରୁ ଶରୀରର ଅନ୍ୟ ଭାଗକୁ ରକ୍ତ ପଠାଉଥିବା ବୃହତ୍ତ ଧମନୀର ଆକାର ସାଧାରଣ ଆକାରଠାରୁ ୭ ସେ.ମିକୁ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ୫ ସେ.ମିରୁ ଅଧିକ ବଡ଼ ହେଲେ ଧମନୀର ବାହ୍ୟ ଆବରଣ ଚିରିହେବାର ସମ୍ଭାବନା ରହିଥାଏ ଏବଂ ଏହା ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବର କାରଣ ହୋଇଥାଏ। ଡାକ୍ତର କରୁଣାକର ପାଢ଼ୀଙ୍କ ଦ୍ୱାରା ଏହି ବିରଳ ଅସ୍ତ୍ରୋପଚାରରେ ପ୍ରଥମେ କୋରୋନାରୀ ବ୍ଲକ୍‌କୁ ଔଷଧ ମାଧ୍ୟମରେ ଠିକ୍‌ କରାଯାଇଥିଲା। ପରେ ରୋଗୀ ସାମାନ୍ୟ ସୁସ୍ଥ ହେବାପରେ ଏକ ହାର୍ଟ-ଲଙ୍ଗ୍‌ ମେସିନ୍‌ର ବ୍ୟବହାର କରି ଆଓର୍ଟା ବାଇପାସ୍‌ ସହ ଓପନ୍‌ ହାର୍ଟ ସର୍ଜରି କରାଯାଥିଲା। ଦୀର୍ଘ ୭ ଘଣ୍ଟା ଧରି ଏହି ଓପନ୍‌ ହାର୍ଟ ସର୍ଜରି ହୋଇଥିଲା। ଅସ୍ତ୍ରୋପଚାର ପରେ ତ୍ରିଲୋଚନ ଏବେ ସୁସ୍ଥ ହେଉଥିବାବେଳେ ଖୁବ୍‌ଶୀଘ୍ର ସେ ଏକ ସାଧାରଣ ଜୀବନ ବଞ୍ଚିପାରିବେ। ଅତ୍ୟଧିକ ଧୂମ୍ରପାନ, ପୂରୁଣା କିମ୍ବା ଚିକିତ୍ସିତ ହୋଇ ନ ଥିବା ଉଚ୍ଚ ରକ୍ତଚାପ ଯୋଗୁ ଏହି ରୋଗ ହୋଇଥାଏ। ଛାତି ଓ ପିଠିରେ ଯନ୍ତ୍ରଣା, ହୃଦୟ ସ୍ପନ୍ଦନରେ ପରିବର୍ତ୍ତନ, ଥକ୍କାପଣ, ମୁଣ୍ଡ ବୁଲାଇବା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ସାଧାରଣତଃ ଧମନୀର ବାହ୍ୟ ଆବରଣ ଚିରିଯିବା କିମ୍ବା ଫାଟିଯିବାର ସଙ୍କେତ ଦେଇଥାଏ ବୋଲି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ମଞ୍ଜିନ୍ଦର ଭଟ୍ଟି କହିଛନ୍ତି।