Categories: ଖେଳ

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ ଦସୁନ ସନକାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଲସିଥ୍‌ ମାଲିଙ୍ଗା ଓ ଦିମୁଥ କରୁଣାରତ୍ନେଙ୍କ ସମେତ ୧୦ଜଣ ପ୍ରମୁଖ ଶ୍ରୀଲଙ୍କା କ୍ରିକେଟର୍‌ ସୁରକ୍ଷାଜନିତ କାରଣ ଲାଗି ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି। ଦିନିକିଆ ଦଳର ନିୟମିତ ଅଧିନାୟକ କରୁଣାରତ୍ନେ ସୁରକ୍ଷା କାରଣରୁ ଏହି ଗସ୍ତରୁ ଓହରି ଯିବା ଫଳରେ ଥିରିମାନେଙ୍କୁ ତାଙ୍କ ସ୍ଥାନରେ ନୂଆ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଟି୨୦ ଅଧିନାୟକ ମାଲିଙ୍ଗାଙ୍କ ସ୍ଥାନରେ ଦଳର ନେତୃତ୍ୱ ଭାର ସନକାଙ୍କୁ ଦିଆଯାଇଛି। ଏଠାରେ ସ୍ମରଣଯୋଗ୍ୟ, ୨୦୦୯ ମାର୍ଚ୍ଚ ପାକିସ୍ତାନ ଗସ୍ତରେ ଲାହୋରେ ଏକ ଟେଷ୍ଟ ମ୍ୟାଚ୍‌ ସମୟରେ ଶ୍ରୀଲଙ୍କା କ୍ରିକେଟ୍‌ ଖେଳାଳିଙ୍କ ବସ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବଡ଼ ଧରଣର ଅଘଯଣ ହୋଇ ନ ଥିଲେ ମଧ୍ୟ ସେତେବେଳେ ପାକିସ୍ତାନକୁ ବିଶ୍ୱରେ ବେଶ୍‌ ନିନ୍ଦିତ ହେବାକୁ ପଡ଼ିଥିଲା। ଏହାପରଠାରୁ କୌଣସି ବଡ଼ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହେଉନାହାନ୍ତି। ମାଲିଙ୍ଗା, କରୁଣାରତ୍ନେଙ୍କ ସମେତ ଥିସାରା ପେରେରା, ଆଞ୍ଜେଲୋ ମାଥ୍ୟୁସ, ନିରୋଶାନ ଡିକ୍‌ଓ୍ବେଲା, କୁସଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, ଅକିଲ ଧନଞ୍ଜୟ, ସୂରଙ୍ଗ ଲାକମଲ ଓ ଦିନେଶ ଚାଣ୍ଡିମାଲ ଚଳିତ ଶ୍ରୀଲଙ୍କା ଦଳରୁ ଓହରି ଯାଇଛନ୍ତି।
ଶ୍ରୀଲଙ୍କା ଦିନିକିଆ ଦଳ: ଲାହିରୁ ଥିରିମାନେ (ଅଧିନାୟକ), ଦନୁସ୍କା ଗୁଣଥିଲକ, ସଦିରା ସମରବିକ୍ରମା, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଦସୁନ ଶନକା, ମିନୋଦ ଭାନୁକା, ଆଞ୍ଜେଲୋ ପେରେରା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ନୁଓ୍ବାନ ପ୍ରଦୀପ, ଇସୁରୁ ଉଦାନା, କସୁନ ରଜିଥା ଓ ଲାହିରୁ କୁମାର।
ଶ୍ରୀଲଙ୍କା ଟି୨୦ ଦଳ: ଦସୁନ ଶନକା (ଅଧିନାୟକ), ଦନୁଷ୍କା ଗୁଣଥିଲକ, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଆଞ୍ଜେଲୋ ପେରେରା, ଭାନୁକା ରାଜାପକଶା, ମିନୋଦ ଭାନୁକା, ଲାହିରୁ ମାଦୁଶନକା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ଇସୁରୁ ଉଦାନା, ନୁଓ୍ବାନ ପ୍ରଦୀପ, କସୁନ ରଜିଥା ଓ ଲାହିରୁ କୁମାର।

Share