ଥାନା ଭିତରେ ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ଘଟଣା: ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା, ୨୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନାଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଯୁବକ ଜଣଙ୍କ କୁଡୁମୀ ସମ୍ପ୍ରଦାୟର ହୋଇଥିବାରୁ ଓଡ଼ିଶା କୁଡୁମୀ ସେନା ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁଷ୍ଠାନର କର୍ମକାର୍ତ୍ତା ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ଅପରାହ୍ନରେ ଓଡିଶା କୁଡ଼ୁମୀ ସେନା ପକ୍ଷରୁ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ କୁଡୁମୀ ସେନାର କର୍ମକାର୍ତ୍ତ ଭେଟି ବୁଧବାର ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରର ନକଲ ମାନବିକ ଅଧିକାର କମିଶନ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲା ଆରକ୍ଷୀ ଆଧିକ୍ଷକ, ପାଟଣା ଓ ଘଷିପୁରା ବିଧାୟକଙ୍କୁ ପ୍ରଦାନ କରିଥିବା ଦିବ୍ୟ ସିଂହ ମହାନ୍ତ ସୂଚନା ଦେଇଛନ୍ତି।