ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି

ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଜିଡିପି କାର୍ଯ୍ୟାଳୟ ପକ୍ଷରୁ ଶନିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯୋଗ୍ୟ, ଗତ ସୋମବାର ଆଇଆଇସି ଥାନା ଭିତରେ ଉକ୍ତ ଅଭିଯୁକ୍ତଙ୍କୁ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲିଥିଲା। ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଥିଲେ। କମିଶନ ଏସ୍‌ପିିଙ୍କଠାରୁ ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ। ୧୦ ହଜାର କ୍ଷତିପୂରଣ ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ।