ଥାନାରୁ ଫେରାର ଅଭିଯୁକ୍ତ ୩ ଦିନ ପରେ ଜଙ୍ଗଲରୁ ଧରାପଡ଼ିଲେ

ବାରିପଦା ଅଫିସ,୧୫ା୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନାରୁ ମଙ୍ଗଳବାର ରାତିରେ ଚମ୍ପଟ ମାରିଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ୩ ଦିନ ପରେ ଶୁକ୍ରବାର ଭୁଡୁରୁବଣୀ ଜଙ୍ଗଲରୁ ଧରିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଜନୈକା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ରଜାବସା ଗ୍ରାମର ବବୁଲୁ ହେମ୍ବ୍ରମଙ୍କୁ ବାରିପଦା ସଦର ଥାନା ପୋଲିସ ଗିରଫ କରିଥିଲା। ପୋଲିସ ମଙ୍ଗଳବାର ରାତି ୧୧ଟାରେ ବବୁଲୁଙ୍କୁ ଆଣି ଥାନାରେ ରଖିଥିଲା। କୌଶଳକ୍ରମେ ବବୁଲୁ ଉକ୍ତ ରାତି ପ୍ରାୟ ୩ଟା ସମୟରେ ଖସି ପଳାଇଥିଲେ। ପରେ ପୋଲିସ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପତ୍ତା ମିଳି ନ ଥିଲା। ସଦର ଥାନା ଟାଉନ ଥାନା ଅଞ୍ଚଳରେ ଆସୁଥିବାରୁ ସଦର ଥାନା ଏସ୍‌ଆଇ ସନ୍ତୋଷ କୁମାର ବିଷୋୟୀ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୩ ଦିନ ପରେ ଜଙ୍ଗଲରୁ ବବୁଲୁଙ୍କୁ ଧରିବା ପରେ କୋର୍ଟଚାଲାଣ କରିଛି। ଏନେଇ ସଦର ଥାନା ଅଧିକାରୀ ପ୍ରେମଦା ନାଏକଙ୍କୁ ପଚାରିବାରୁ ରାତିରେ ଅଭିଯୁକ୍ତ ପାଣି ପିଇବା ବାହାନାରେ ଖସି ପଳାଇ ଯାଇଥିବା କହିଛନ୍ତି।