ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରୟୁଥ ଚାନ୍‌-ଓକା

ବ୍ୟାଙ୍କକ୍‌,୧୨ା୬(ଆଇଏଏନ୍‌ଏସ୍‌): ସେନାମୁଖ୍ୟ ଜେନେରାଲ ପ୍ରୟୁଥ ଚାନ୍‌-ଓକା ମଙ୍ଗଳବାର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାମରିକ ଶାସନର ଦୀର୍ଘ ୫ବର୍ଷ ପରେ ଦେଶରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଜୁନ୍‌ ୫ରେ ପାର୍ଲାମେଣ୍ଟ ଭୋଟରେ ପ୍ରୟୁଥ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ରାଜା ମହା ବାଜିରାଲୋଙ୍ଗକର୍ନଙ୍କ ସ୍ବୀକୃତି ଦେଶର ଅଫିସିଆଲ ବୁଲେଟିନ୍‌ ରୟାଲ ଗ୍ୟାଜେଟରେ ପ୍ରକାଶ ପାଇବା ପରେ ପ୍ରୟୁଥଙ୍କ ନିଯୁକ୍ତିକୁ ସ୍ବୀକୃତି ମିଳିଥିଲା। ୬୫ ବର୍ଷୀୟ ପ୍ରୟୁଥ ଧଳା ୟୁନିଫର୍ମ ପରିଧାନ କରି ରାଜା ମହା ବାଜିରାଲୋଙ୍ଗକର୍ନଙ୍କ ଛବି ନିକଟରେ ନତଜାନୁ ହୋଇ ଶପଥପାଠ କରିଥିଲେ। ପରେ ଏକ ଖବରଦାତା ସମ୍ମିଳନୀରେ ସେ ରାଜତନ୍ତ୍ର ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ଦୁର୍ନୀତି ଓ ଅସମାନତା ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଦେଶକୁ ଅର୍ଥନୈତିକ ଓ ସାମାଜିକ ପ୍ରଗତି ପଥରେ ଆଗେଇ ନେବା ପାଇଁ କର୍ତ୍ତବ୍ୟ ପାଳନ କରିବା ସହିତ ଲୋକଙ୍କ ସ୍ବର ଶୁଣିବେ ବୋଲି ପ୍ରୟୁଥ କହିଥିଲେ। ୨୦୧୪ରେ ସରକାର ବିରୋଧୀ ସ୍ବର ତୀବ୍ର ହେବାରୁ ଦେଶରେ ନିର୍ବାଚନ ହୋଇପାରି ନ ଥିଲା। କିଛିମାସ ପରେ ସେନାମୁଖ୍ୟ ଥିବା ପ୍ରୟୁଥ ସେହିବର୍ଷ ମେ’ରେ ଥାଇଲାଣ୍ଡର ଶାସନ କ୍ଷମତା ହାତକୁ ନେଇଥିଲେ।

Share