Categories: ଜାତୀୟ

ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବୁଧବାର ୨୩ଟି ଭାଷାରେ ଘୋଷଣା କରାଯାଇଛି। ୭ଟି କବିତା ସଂଗ୍ରହ, ୪ ଉପନ୍ୟାସ, ୬ କାହାଣୀ ସଂଗ୍ରହ, ୩ ନିବନ୍ଧ ସଂଗ୍ରହ, ଆତ୍ମକଥା ଏବଂ ଜୀବନୀକୁ ନେଇ ଏହି ସମ୍ମାନ ଦିଆଯାଇଥିବା ଜଣାପଡ଼ିଛି। ଚଳିତ ଥର ନେପାଳୀ ଭାଷା ପାଇଁ ପରେ ପୁରସ୍କାର ଘୋଷଣା କରାଯିବ। ୨୦୨୦ ଜାନୁୟାରୀ ୨୫ରେ ଏକ ସ୍ବତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବା ସହ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଲେଖକ ତଥା କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ଇଂଲିଶ୍‌ ଭାଷା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୯ରେ ତାଙ୍କୁ ସମ୍ମାନିତ କରାଯାଇଛି। ବ୍ରିଟିଶ ରାଜତ୍ୱ ସମୟରେ ଲେଖା ହୋଇଥିବା ବହି ‘An Era of Darkness’ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ଏହି ବହି ୨୦୧୬ରେ ପ୍ରକାଶ ପାଇଥିଲା। ଏଥିରେ ବ୍ରିଟିଶ ରାଜତ୍ୱର କଥାବସ୍ତୁ ସ୍ଥାନିତ ହୋଇଛି। ଯେପରିକି ୧୮୫୭ର କ୍ରାନ୍ତି, ୧୯୧୯ର ଜାଲିଓ୍ବାନାବାଗ ହତ୍ୟାକାଣ୍ଡ, ଇଷ୍ଟ ଇଣ୍ଡିଆ କମ୍ପାନୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରାଯାଇଛି। ସୂଚନାଯୋଗ୍ୟ, ଥରୁର ଏପର୍ଯ୍ୟନ୍ତ ମୋଟ ୧୯ଟି ବହି ଲେଖିସାରିଛନ୍ତି। ସେହିପରି ହିନ୍ଦୀ ଭାଷା ପାଇଁ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ, ଊର୍ଦ୍ଦୁରେ ଶାଫେ କିଦ୍‌ଓ୍ବାଇଙ୍କୁ ଓ ଓଡ଼ିଆରେ ତରୁଣକାନ୍ତି ମିଶ୍ରଙ୍କୁ ଏହି ପୁରସ୍କାର ଦିଆଯିବ।

Share